Bhagavad Gita: Chapter 2, Verse 65

ପ୍ରସାଦେ ସର୍ବଦୁଃଖାନାଂ ହାନିରସ୍ୟୋପଜାୟତେ ।
ପ୍ରସନ୍ନଚେତସୋ ହ୍ୟାଶୁ ବୁଦ୍ଧିଃ ପର୍ଯ୍ୟବତିଷ୍ଠତେ ।।୬୫।।

ପ୍ରସାଦେ- ଭଗବାନଙ୍କର ଅହୈତୁକୀ କୃପାଲାଭ କରି; ସର୍ବ-ସମସ୍ତ; ଦୁଃଖାନାଂ-ଭୌତିକ ଦୁଃଖ; ହାନିଃ-ଧ୍ୱଂସ; ଅସ୍ୟ- ତା’ର; ଉପଜାୟତେ-ହୁଏ; ପ୍ରସନ୍ନ ଚେତସଃ- ଶାନ୍ତ ଚିତ୍ତ; ହି-ନିଶ୍ଚିତଭାବେ; ଆଶୁ- ଖୁବ୍ ଶୀଘ୍ର; ବୁଦ୍ଧିଃ-ବୁଦ୍ଧି; ପର୍ଯ୍ୟବତିଷ୍ଠତେ-ଦୃଢ଼ ପ୍ରତିଷ୍ଠିତ ହୁଏ ।

Translation

BG 2.65: ଭଗବତ୍ କୃପାରୁ ଶାନ୍ତି ମିଳେ, ଯାହା ସମସ୍ତ ଦୁଃଖକୁ ନାଶ କରେ ଏବଂ ଏହିପରି ଶାନ୍ତ ଚିତ୍ତଯୁକ୍ତ ବ୍ୟକ୍ତିର ବୁଦ୍ଧି ଭଗବାନଙ୍କ ଠାରେ ଦୃଢ଼ତା ପୂର୍ବକ ସ୍ଥିର ହୁଏ ।

Commentary

କୃପା ଏକ ଦିବ୍ୟ ଶକ୍ତି, ଯାହା ବ୍ୟକ୍ତିର ବ୍ୟକ୍ତିତ୍ୱ ଉପରେ ସଂଚାରିତ ହୋଇଯାଏ । ସତ୍‌-ଚିତ୍‌-ଆନନ୍ଦ ସ୍ୱରୂପ ଭଗବାନ କୃପା ଦ୍ୱାରା ତାଙ୍କର ଦିବ୍ୟଜ୍ଞାନ, ଦିବ୍ୟପ୍ରେମ, ଦିବ୍ୟ ଆନନ୍ଦ ପ୍ରଦାନ କରନ୍ତି । ଧ୍ରୁବତାରା ସଦୃଶ ଏହା ବୁଦ୍ଧିକୁ ଭଗବତ୍ ପ୍ରେମ, ଆନନ୍ଦ ଓ ଜ୍ଞାନରେ ଦୃଢ଼ ଭାବରେ ସ୍ଥାପିତ କରାଏ । ଭଗବତ୍ କୃପାରୁ, ଯେତେବେଳେ ଆମେ ଉଚ୍ଚତର ଦିବ୍ୟ ଆନନ୍ଦର ଅନୁଭବ କରୁ, ଇନ୍ଦ୍ରିୟ ସୁଖ ହେତୁ ବିଚଳନ କ୍ଷାନ୍ତ ହୋଇଯାଏ । ଇନ୍ଦ୍ରିୟ ସୁଖ ପାଇଁ ସେହି ଲାଳସା ସମାପ୍ତ ହୋଇଗଲେ, ଜଣେ ସମସ୍ତ କଷ୍ଟକୁ ଅତିକ୍ରମ କରିଯାଏ ଏବଂ ମନ ଶାନ୍ତ ହୋଇଯାଏ ।  ଅନ୍ତରର ସେହି ପରିପୂର୍ଣ୍ଣ ଅବସ୍ଥାରେ ବୁଦ୍ଧିର ନିଶ୍ଚୟ ଦୃଢ଼ ହୋଇଯାଏ ଯେ ଭଗବାନ ହିଁ ସକଳ ସୁଖର ଉତ୍ସ ଏବଂ ଆତ୍ମାର ଅନ୍ତିମ ଲକ୍ଷ୍ୟ ଅଟନ୍ତି । ବୁଦ୍ଧି ପୂର୍ବରୁ ଏହାକୁ କେବଳ ଗ୍ରନ୍ଥ ଇତ୍ୟାଦିରୁ ପ୍ରାପ୍ତ ଜ୍ଞାନ ଭାବରେ ଗ୍ରହଣ କରୁଥିଲା, କିନ୍ତୁ ବର୍ତ୍ତମାନ ସେ ପ୍ରକୃତ ଶାନ୍ତି ଏବଂ ଦିବ୍ୟ ସୁଖକୁ ନିଜେ ଅନୁଭବ କଲା । ଏହା ବୁଦ୍ଧିର ସମସ୍ତ ଦ୍ୱନ୍ଦ୍ୱକୁ ଦୂର କରାଇ ତାହାକୁ ଦୃଢ଼ ନିଶ୍ଚୟୀ କରାଇ ଥାଏ ଏବଂ ବୁଦ୍ଧି ଭଗବାନଙ୍କ ଠାରେ ଦୃଢ଼ ଭାବରେ ସ୍ଥିତ ହୋଇଯାଏ ।

Watch Swamiji Explain This Verse