Bhagavad Gita: Chapter 2, Verse 66

ନାସ୍ତି ବୁଦ୍ଧିରଯୁକ୍ତସ୍ୟ ନ ଚାଯୁକ୍ତସ୍ୟ ଭାବନା ।
ନ ଚାଭାବୟତଃ ଶାନ୍ତିରଶାନ୍ତସ୍ୟ କୁତଃ ସୁଖମ୍ ।।୬୬।।

ନ ଅସ୍ତି- ନାହିଁ; ବୁଦ୍ଧିଃ-ଦିବ୍ୟ ବୁଦ୍ଧି; ଅଯୁକ୍ତସ୍ୟ- ଯୁକ୍ତ ନୁହେଁ; ନ- ନାହିଁ; ଚ- ଏବଂ; ଅଯୁକ୍ତସ୍ୟ- ଯିଏ ଯୁକ୍ତ ନୁହେଁ; ଭାବନା-ସୁଭାବନା ; ନ-ନାହିଁ; ଚ-ଏବଂ; ଅଭାବୟତଃ- ଯିଏ ସ୍ଥିର ନୁହେଁ; ଶାନ୍ତିଃ-ଶାନ୍ତି; ଅଶାନ୍ତସ୍ୟ-ଅଶାନ୍ତର; କୁତଃ- କାହିଁ; ସୁଖମ୍‌-ସୁଖ ।

Translation

BG 2.66: କିନ୍ତୁ ଜଣେ ବିଶୃଙ୍ଖଳିତ ବ୍ୟକ୍ତି, ଯିଏ ନିଜର ମନ ଓ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରି ନ ଥାଏ, ତା’ର ବୁଦ୍ଧି ଦୃଢ଼ ନିଶ୍ଚୟୀ ଏବଂ ଭଗବାନଙ୍କର ଚିନ୍ତନ ସ୍ଥିର ହୋଇ ନ ଥାଏ । ଯିଏ ମନକୁ ଭଗବାନଙ୍କ ଠାରେ ଅନୁରକ୍ତ କରେ ନାହିଁ, ତାକୁ ଶାନ୍ତି ମିଳେନାହିଁ; ଏବଂ ଯାହାଠାରେ ଶାନ୍ତିର ଅଭାବ ସେ ସୁଖି କେମିତି ହେବ?

Commentary

ଏହି ଶ୍ଳୋକରେ ବିପରୀତ କଥା କହି ଏବଂ ତାହାର ଖଣ୍ଡନ କରି ପୂର୍ବବର୍ତ୍ତୀ ଶ୍ଳୋକର ମର୍ମର ଦୃଢ଼ୀକରଣ କରାଯାଇଛି । ପୂର୍ବରୁ ଶ୍ରୀକୃଷ୍ଣ କହିଥିଲେ, “ଭଗବାନଙ୍କୁ ଜାଣ ଶାନ୍ତିକୁ ଜାଣ ।” ଏହି ଶ୍ଳୋକରେ ସେ କହୁଛନ୍ତି “ଭଗବାନ ନାହାଁନ୍ତି ତ ଶାନ୍ତି ନାହିଁ ।”

ଯିଏ ନିଜର ମନ ଓ ଇନ୍ଦ୍ରିୟମାନଙ୍କୁ ଶୃଙ୍ଖଳିତ କରିବା ଜାଣିନାହିଁ, ସେ କେବେବି ଭଗବାନଙ୍କର ଧ୍ୟାନ କରିପାରିବ ନାହିଁ କିମ୍ବା ଦିବ୍ୟ ଶାନ୍ତି ଅନୁଭବ କରିପାରିବ ନାହିଁ । ଉଚ୍ଚତର ସ୍ୱାଦ ନ ମିଳିଲେ ନିମ୍ନତର  ସ୍ୱାଦ ତ୍ୟାଗ କରିବା ଅସମ୍ଭବ ଅଟେ । ଭ୍ରମର ଫୁଲରସର ମୋହକୁ ତ୍ୟାଗ କରି ନ ପାରିବା ପରି, ଏପରି ବ୍ୟକ୍ତି ସର୍ବଦା ସାଂସାରିକ ସୁଖ ପ୍ରତି ଲାଳାୟିତ ରହନ୍ତି :

ରାତ୍ରିର୍ଗମିଷ୍ୟତି ଭବିଷ୍ୟତି ସୁପ୍ରଭାତଂ
ଭାସ୍ୱାନୁଦ୍ୱେଷ୍ୟତି ହସିଷ୍ୟତି ପଙ୍କଜଶ୍ରୀଃ
ଏବଂ ବିଚିନ୍ତୟତି କୋଷ ଗତେ ଦ୍ୱିରେପେଂ
ହା ହନ୍ତ ହନ୍ତ ନଳିନୀଂ ଗଜ ଉଜ୍ଜହାର । (ସୁକ୍ତି ସୁଧାକର)

ସଂସ୍କୃତ ସାହିତ୍ୟର ଏହି ଲୋକପ୍ରିୟ କବିତାଟି ଗୋଟିଏ ଭ୍ରମରର କାହାଣୀ ବର୍ଣ୍ଣନା କରେ । ଭ୍ରମରଟିଏ ପଦ୍ମଫୁଲ ଉପରେ ବସି ମଧୁପାନ କରୁଥିଲା । ଯେମିତି ସୂର୍ଯ୍ୟାସ୍ତ ହେବାକୁ ଆରମ୍ଭ କଲା ଫୁଲର ପାଖୁଡ଼ାଗୁଡ଼ିକ ବନ୍ଦ ହେବାକୁ ଲାଗିଲା । କିନ୍ତୁ ଭ୍ରମରଟି ତା’ର ଇନ୍ଦ୍ରିୟ ସୁଖରେ ଏତେ ବିଭୋର ଥିଲା ଯେ ସେ ଉଡ଼ିଯିବାକୁ ଇଚ୍ଛା କଲାନାହିଁ । “ଫୁଲଟି ପୂରା ବନ୍ଦ ହେବାକୁ ଆହୁରି ସମୟ ଅଛି । ମୁଁ ଯେତେ ପାରେ ରସ ଆସ୍ୱାଦନ କରିନିଏ ।” ସେହିପରି, ବୃଦ୍ଧାବସ୍ଥାକୁ ମୃତ୍ୟୁର ଏକ ନିଶ୍ଚିତ ସଂକେତ ରୂପେ ଆମେ ଦେଖିପାରେ, କିନ୍ତୁ ଭ୍ରମରଟି ପରି ଆମେ ମଧ୍ୟ ସାଂସାରିକ ସୁଖରେ ମଜ୍ଜି ରହିଥାଏ ।

ଏହି ସମୟରେ ଅନ୍ଧାର ହୋଇଗଲା ଏବଂ ପଦ୍ମଫୁଲଟିର ପାଖୁଡା ବନ୍ଦ ହେବା ସହିତ ଭ୍ରମରଟି ତା’ ଭିତରେ ବନ୍ଦୀ ହୋଇଗଲା । ଭ୍ରମର ଭାବିଲା, “ଚିନ୍ତାର କୌଣସି କାରଣ ନାହିଁ । ଆଜି ରାତିଟି ମୋର ପ୍ରିୟ ଫୁଲ ଭିତରେ ରହିଯିବି । ଆସନ୍ତାକାଲି ସକାଳେ ପାଖୁଡ଼ା ଗୁଡ଼ିକ ଖୋଲିଗଲେ, ମୁଁ ଉଡ଼ିଯିବି ।” କାଷ୍ଠ ଭେଦୋ ନିପୁଣୋପି ସଂଗୃହୀ କୁଣ୍ଠିତୋ ଭବତି ପଦ୍ମ ବିଭେଦେ - ଭ୍ରମରର କାଠ କାଟିବାର ଶକ୍ତି ଅଛି  କିନ୍ତୁ ବିଷୟାସକ୍ତିର ପରିଣାମକୁ ଲକ୍ଷ୍ୟ କରନ୍ତୁ, ଯେଉଁ ଭ୍ରମରଠାରେ କାଠକୁ ଭେଦ କରିବାର ଶକ୍ତି ଅଛି, ସେ ପଦ୍ମଫୁଲର କୋମଳ ପାଖୁଡ଼ାକୁ ଭେଦ କରି ନ ପାରି ତାହା ମଧ୍ୟରେ ଆବଦ୍ଧ ରହିଛି । ଏହି ସମୟରେ ହାତୀଟିଏ ଆସି, ତା’ର ଶୁଣ୍ଢରେ ନାଡ ସହିତ ପଦ୍ମଫୁଲଟିକୁ ଛିଣ୍ଡାଇ ଉଦରସ୍ଥ କରିଦେଲା । ପଦ୍ମଫୁଲ ସହିତ ଭ୍ରମରଟି ମଧ୍ୟ ହାତୀର ଉଦରକୁ ଚାଲିଗଲା । ଏବେ ବି ସେ ଭାବୁଛି “ମୋ ପ୍ରିୟ ଫୁଲଟି ଯେଉଁଆଡ଼େ ଯାଉଛି, ମୁଁ ତା ସହିତ ଖୁସିରେ ଯାଉଛି” ।  କିଛି ସମୟ ପରେ ସେ ମୃତ୍ୟୁ ବରଣ କଲା ।

ସେହିପରି, ଆମେ ମନୁଷ୍ୟମାନେ ମଧ୍ୟ ଇନ୍ଦ୍ରିୟ ମାନଙ୍କୁ ତୃପ୍ତ କରିବା ଦିଗରେ ସର୍ବଦା ପ୍ରଯତ୍ନଶୀଳ ରହି ଭଗବାନଙ୍କର ଭକ୍ତି କରିବାକୁ ମହାପୁରୁଷମାନଙ୍କ ଉପଦେଶକୁ ଅବଜ୍ଞା କରିଥାଉ ଏବଂ ଶେଷରେ ସମୟ ଆମକୁ ମୃତ୍ୟୁ ରୂପରେ ଗ୍ରାସ କରିଥାଏ । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ, ଯେଉଁମାନେ ଇନ୍ଦ୍ରିୟମାନଙ୍କୁ ଶୃଙ୍ଖଳିତ କରନ୍ତି ନାହିଁ ଓ ଭକ୍ତି କରନ୍ତି ନାହିଁ, ସେମାନେ ମାୟାର ତ୍ରିଗୁଣାତ୍ମକ କଷ୍ଟରେ ପୀଡ଼ିତ ହୁଅନ୍ତି । ସାଂସାରିକ କାମନା କୁଣ୍ଡିଆ ପରି ଏକ ଚର୍ମରୋଗ ଅଟେ । ଆମେ ତାକୁ ଯେତେ କୁଣ୍ଡାଇବା, ତାହା ଆହୁରି ଅଧିକ ହୋଇଥାଏ । ଏପରି ମାୟିକ ଆସକ୍ତି ସହିତ ଆମେ ବାସ୍ତବରେ ସୁଖୀ ହେବା କିପରି?