Bhagavad Gita: Chapter 2, Verse 14

ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣସୁଖଦୁଃଖଦାଃ ।
ଆଗମାପାୟିନୋଽନିତ୍ୟାସ୍ଥାଂସ୍ଥିତିକ୍ଷସ୍ୱ ଭାରତ ।।୧୪।।

ମାତ୍ରା-ସ୍ପର୍ଶାଃ- ଇନ୍ଦ୍ରିୟମାନେ ବିଷୟର ସଂସ୍ପର୍ଶରେ ଆସି ; ତୁ- ବାସ୍ତବରେ; କୌନ୍ତେୟ- ହେ କୁନ୍ତିପୁତ୍ର; ଶୀତ-ଶୀତ; ଉଷ୍ଣ-ଗ୍ରୀଷ୍ମ; ସୁଖ-ସୁଖ; ଦୁଃଖ- ଦୁଃଖ; ଦାଃ- ଦିଅନ୍ତି; ଆଗମ- ଆସିବା; ଅପାୟିନଃ-ଯିବା; ଅନିତ୍ୟାଃ-ଅନିତ୍ୟ, ଅସ୍ଥାୟୀ; ତାନ୍‌-ସେସବୁକୁ; ତିତିକ୍ଷସ୍ୱ -ସହ୍ୟ କର; ଭାରତ-ହେ ଭରତ ବଂଶଜ ।

Translation

BG 2.14: ହେ କୁନ୍ତିପୁତ୍ର! ଇନ୍ଦ୍ରିୟମାନେ ଇନ୍ଦ୍ରିୟବିଷୟ ସଂସ୍ପର୍ଶରେ ଆସି ସାମୟିକ ଭାବରେ ସୁଖ ଓ ଦୁଃଖର ଅନୁଭୂତି ସୃଷ୍ଟି କରିଥାଆନ୍ତି । ଏହିସବୁ ଅନୁଭୂତି ଅସ୍ଥାୟୀ ଅଟେ ଏବଂ ତାହା ଶୀତ ଓ ଗ୍ରୀଷ୍ମ ଋତୁ ପରି ଆସିଥାଏ ଓ ଯାଇଥାଏ । ହେ ଭରତ ବଂଶଜ! ସେଥିରେ ବିଚଳିତ ନ ହୋଇ ସେମାନଙ୍କୁ ସହ୍ୟ କରିବାକୁ ଅଭ୍ୟାସ କରିବା ଉଚିତ୍ ।

Commentary

ମନୁଷ୍ୟ ଶରୀରରେ ପାଞ୍ଚଟି ଇନ୍ଦ୍ରିୟ ଅଛି - ଦର୍ଶନେନ୍ଦ୍ରିୟ, ଘ୍ରାଣେନ୍ଦ୍ରିୟ, ସ୍ୱାଦେନ୍ଦ୍ରିୟ, ସ୍ପର୍ଶେନ୍ଦ୍ରିୟ, ଏବଂ ଶ୍ରବଣେନ୍ଦ୍ରିୟ । ଏମାନେ ନିଜ ନିଜ ବିଷୟର ସଂସ୍ପର୍ଶରେ ଆସି ସୁଖ ବା ଦୁଃଖର ଅନୁଭୂତି ସୃଷ୍ଟି କରିଥାଆନ୍ତି । କୌଣସି ବି ଅନୁଭୂତି ସ୍ଥାୟୀ ନୁହେଁ । ଋତୁ ବଦଳିଲା ପରି ସେଗୁଡ଼ିକ ଆସନ୍ତି ଓ ଯାଆନ୍ତି । ଶୀତଳ ଜଳ ଗ୍ରୀଷ୍ମ ଦିନରେ ଆନନ୍ଦ ଦେଲେ ମଧ୍ୟ ସେହି ଜଳ ଶୀତ ଦିନରେ କଷ୍ଟ ଦେଇଥାଏ । ଅତଏବ, ଇନ୍ଦ୍ରିୟ ଦ୍ୱାରା ଅନୁଭୂତ ଉଭୟ ସୁଖ ଓ ଦୁଃଖ ଅସ୍ଥାୟୀ ଅଟେ । ଆମେ ଯଦି ନିଜକୁ ସେମାନଙ୍କ ଦ୍ୱାରା ପ୍ରଭାବିତ ହେବାକୁ ଛାଡିଦେବା, ତେବେ ଆମେ ପେଣ୍ଡୁଲମ୍ ପରି ଏଦିଗରୁ ସେଦିଗ ଦୋଳାୟିତ ହେଉଥିବା । ଜଣେ ବିଚାରବନ୍ତ ବ୍ୟକ୍ତି ସୁଖ ଓ ଦୁଃଖରେ ବିଚଳିତ ନ ହୋଇ ସହନଶୀଳତାର ଅଭ୍ୟାସ କରିବା ଉଚିତ ।

ବିପାସନା ପଦ୍ଧତି, ଯାହା ବୌଦ୍ଧଧର୍ମର ଆତ୍ମାନୁଭୂତି ଲାଭର ପ୍ରମୁଖ ପଦ୍ଧତି ଅଟେ, ଇନ୍ଦ୍ରିୟାନୁଭୂତିକୁ ସହନ କରିବାର ସୂତ୍ର ଉପରେ ଆଧାରିତ । ଏହାର ଅଭ୍ୟାସ କାମନା ଦୂର କରିବାରେ ସାହାଯ୍ୟ କରିଥାଏ, ଯାହା ସମସ୍ତ ଦୁଃଖର କାରଣ ଅଟେ । ବୌଦ୍ଧଧର୍ମ ଅନୁଯାୟୀ ଯେଉଁ ଚାରୋଟି ମହାନ୍ ସତ୍ୟ ରହିଛି - ଦୁଃଖ ଭୋଗର ସତ୍ୟ, ଦୁଃଖ ଉତ୍ପତ୍ତିର ସତ୍ୟ, ଦୁଃଖ ବିନାଶର ସତ୍ୟ ଏବଂ ଦୁଃଖ ବିନାଶର ମାର୍ଗର ସତ୍ୟ -ସବୁ ସତ୍ୟର ମୂଳଭୂତ ତତ୍ତ୍ୱ କାମନା ଅଟେ । ବୌଦ୍ଧ ଦର୍ଶନ ବିସ୍ତୃତ ବୈଦିକ ଦର୍ଶନର ଏକ ଅଂଶ ଅଟେ ।

Watch Swamiji Explain This Verse