Bhagavad Gita: Chapter 2, Verse 31

ସ୍ୱଧର୍ମମପି ଚାବେକ୍ଷ୍ୟ ନ ବିକମ୍ପିତୁମର୍ହସି ।
ଧର୍ମ୍ୟାଦ୍ଧି ଯୁଦ୍ଧାଚ୍ଛ୍ରେୟୋଽନ୍ୟତ୍‌କ୍ଷତ୍ରିୟସ୍ୟ ନ ବିଦ୍ୟତେ ।।୩୧।।

ସ୍ୱଧର୍ମଂ- ନିଜର ବେଦବିହିତ କର୍ମ; ଅପି-ମଧ୍ୟ; ଚ-ଏବଂ; ଅବେକ୍ଷ୍ୟ-ବିଚାର କରି; ନ-ନୁହେଁ; ବିକମ୍ପିତୁମ୍‌-ଦ୍ୱିଧାବୋଧ କରିବା; ଅର୍ହସି-ଉଚିତ; ଧର୍ମ୍ୟାତ୍‌-ଧର୍ମନୀତି ଦୃଷ୍ଟିରୁ; ହି-ବାସ୍ତବରେ; ଯୁଦ୍ଧାତ୍‌-ଯୁଦ୍ଧରୁ; ଶ୍ରେୟଃ-ଉତ୍ତମ; ଅନ୍ୟତ୍‌-ଅନ୍ୟ; କ୍ଷତ୍ରିୟସ୍ୟ-କ୍ଷତ୍ରିୟର; ନ-ନୁହେଁ; ବିଦ୍ୟତେ-ଅଛି ।

Translation

BG 2.31: ଜଣେ ଯୋଦ୍ଧା ଭାବରେ ତୁମେ ନିଜର କର୍ତ୍ତବ୍ୟ ବିଷୟରେ ଚିନ୍ତା ନ କରି ଇତସ୍ତତଃ ହେବା ଉଚିତ୍ ନୁହେଁ । ବାସ୍ତବରେ, ଜଣେ ଯୋଦ୍ଧା ପାଇଁ ଧର୍ମ ରକ୍ଷା ନିମନ୍ତେ ଯୁଦ୍ଧ କରିବାଠାରୁ ବଳି ମହତ୍ କାର୍ଯ୍ୟ ଆଉ କିଛି ନାହିଁ ।

Commentary

ସ୍ୱ-ଧର୍ମ କହିଲେ ବେଦ ଅନୁଯାୟୀ ଜଣେ ବ୍ୟକ୍ତିର କର୍ତ୍ତବ୍ୟକୁ ବୁଝାଇଥାଏ । ଜଣେ ବ୍ୟକ୍ତି ପାଇଁ ଦୁଇ ପ୍ରକାରର ସ୍ୱ-ଧର୍ମ ବା ବେଦବିହିତ କର୍ମ ରହିଛି- ପର ଧର୍ମ ବା ଆଧ୍ୟାତ୍ମିକ ଧର୍ମ ଏବଂ ଅପର ଧର୍ମ ବା ସଂସାରିକ କର୍ତ୍ତବ୍ୟ । ଆତ୍ମା ଭାବରେ ଆମର କର୍ତ୍ତବ୍ୟ ହେଉଛି ଭକ୍ତି ସହକାରେ ଭଗବାନଙ୍କର ସେବା କରିବା ଏବଂ ତାଙ୍କୁ ପ୍ରେମ କରିବା । ଏହାକୁ ପରଧର୍ମ କୁହାଯାଏ । ଯେହେତୁ ଅଧିକାଂଶ ମନୁଷ୍ୟଙ୍କର ଏହି ଆଧ୍ୟାତ୍ମିକ ଦୃଷ୍ଟିକୋଣ ନ ଥାଏ, ନିଜକୁ ଶରୀର ମନେକରୁଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ବେଦରେ କର୍ତ୍ତବ୍ୟ ନିରୂପଣ କରାଯାଇଛି । ଏହି କର୍ତ୍ତବ୍ୟଗୁଡ଼ିକ ଜଣଙ୍କର ଆଶ୍ରମ (ଜୀବନର ଅବସ୍ଥା) ଓ ବର୍ଣ୍ଣ (ବୃତ୍ତି) ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ । ଏଗୁଡ଼ିକୁ ଅପର ଧର୍ମ ବା ସାଂସାରିକ କର୍ତ୍ତବ୍ୟ କୁହାଯାଏ । ଭଗବଦ୍ ଗୀତାକୁ ଏବଂ ବିଶେଷ କରି ବୈଦିକ ସିଦ୍ଧାନ୍ତକୁ ବୁଝିବା ପାଇଁ ଆଧ୍ୟାତ୍ମିକ କର୍ତ୍ତବ୍ୟ ଏବଂ ସାଂସାରିକ କର୍ତ୍ତବ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ରହିବା ଆବଶ୍ୟକ ।

ବୃତ୍ତି ଅନୁସାରେ, ଅର୍ଜୁନ ଯେହେତୁ ଜଣେ ଯୋଦ୍ଧା ଥିଲେ ତାଙ୍କର ବୃତ୍ତିଗତ କର୍ତ୍ତବ୍ୟ ଥିଲା ଧର୍ମରକ୍ଷା ପାଇଁ ଯୁଦ୍ଧ କରିବା । ଶ୍ରୀକୃଷ୍ଣ ଏହାକୁ ସ୍ୱ-ଧର୍ମ ବା ଶାରୀରିକ ସ୍ତରରେ ନିର୍ଦ୍ଧାରିତ ଧର୍ମ କହୁଛନ୍ତି ।