Bhagavad Gita: Chapter 2, Verse 64

ରାଗଦ୍ୱେଷବିଯୁକ୍ତୈସ୍ତୁ ବିଷୟାନିନ୍ଦ୍ରିୟୈଶ୍ଚରନ୍ ।
ଆତ୍ମବଶ୍ୟୈର୍ବିଧେୟାତ୍ମା ପ୍ରସାଦମଧିଗଚ୍ଛତି ।।୬୪।।

ରାଗ- ଆସକ୍ତି; ଦ୍ୱେଷ- ଘୃଣା; ବିଯୁକ୍ତୈଃ- ମୁକ୍ତ ହୋଇ; ତୁ- କିନ୍ତୁ; ବିଷୟାନ୍‌-ଇନ୍ଦ୍ରିୟ ଭୋଗ୍ୟବସ୍ତୁ; ଇନ୍ଦ୍ରିୟୈଃ- ଇନ୍ଦ୍ରିୟମାନଙ୍କ ଦ୍ୱାରା; ଚରନ୍‌-ଆଚରଣ କରି; ଆତ୍ମବଶୈଃ- ମନକୁ ନିୟନ୍ତ୍ରଣ କରି; ବିଧେୟାତ୍ମା- ଯିଏ ମନକୁ ଜୟ କରିଥାଏ; ପ୍ରସାଦମ୍‌- ଭଗବାନଙ୍କର କୃପା; ଅଧିଗଚ୍ଛତି- ପ୍ରାପ୍ତ ହୁଏ ।

Translation

BG 2.64: କିନ୍ତୁ ଯେଉଁ ବ୍ୟକ୍ତି ନିଜର ମନକୁ ନିୟନ୍ତ୍ରିତ କରି ରାଗ ଏବଂ ଦ୍ୱେଷରୁ ମୁକ୍ତ ରହିଥାଏ, ସେ ଇନ୍ଦ୍ରିୟ ବିଷୟର ଉପଯୋଗ କରୁଥିଲେ ମଧ୍ୟ ଭଗବାନଙ୍କ କୃପା ପ୍ରାପ୍ତ କରେ ।

Commentary

ଇନ୍ଦ୍ରିୟଭୋଗ ବସ୍ତୁରେ ଆନନ୍ଦର ଚିନ୍ତନ ଠାରୁ ଧ୍ୱଂସାଭିମୁଖୀ ନିମ୍ନଗାମୀ ସୋପାନର ଅୟମାରମ୍ଭ ହୁଏ । ଶରୀରର ତୃଷ୍ଣା ପରି, ଆନନ୍ଦ ପ୍ରତି ଆକର୍ଷିତ ହେବା ଆତ୍ମାର ସହଜାତ ପ୍ରବୃତ୍ତି ଅଟେ । “ମୁଁ କେଉଁଠାରେ ସୁଖର ଚିନ୍ତନ କରିବି ନାହିଁ”- ଏପରି ଚିନ୍ତା କରିବା ଅଜ୍ଞତା ଅଟେ କାରଣ ଏହା ଆତ୍ମା ପାଇଁ ଅସ୍ୱାଭାବିକ ଅଟେ । ଅତଏବ, ଏହାର ସହଜ ସମାଧାନ ହେଉଛି ସଠିକ୍ ଦିଗରେ ଅର୍ଥାତ୍ ଭଗବାନଙ୍କଠାରେ ଆନନ୍ଦର ଅନ୍ୱେଷଣ କରିବା । ଭଗବାନଙ୍କ ଠାରେ ଆନନ୍ଦ ଅଛି, ବାରମ୍ବାର ଏହି ଚିନ୍ତନ କରିବାର ପରିଣାମ ସ୍ୱରୂପ ମନ ଭଗବାନଙ୍କ ଠାରେ ଆସକ୍ତ ହୋଇଯିବ । ମାୟିକ ଆସକ୍ତି ପରି ଏହି ଦିବ୍ୟ ଆସକ୍ତି ମନର ଅଧଃପତନ କରାଇ ନ ଥାଏ, ବରଂ ମନକୁ ପବିତ୍ର କରିଥାଏ । ଭଗବାନ ପୂର୍ଣ୍ଣ ଶୁଦ୍ଧ ଅଟନ୍ତି ଏବଂ ଆମେ ଯେତେବେଳେ ମନକୁ ତାଙ୍କଠାରେ ଅନୁରକ୍ତ କରିଦିଏ, ମନ ମଧ୍ୟ ଶୁଦ୍ଧ ହୋଇଯାଏ ।

ଶ୍ରୀକୃଷ୍ଣ ଯେତେବେଳେ ବି ଆସକ୍ତି ଓ କାମନା ତ୍ୟାଗ କରିବା ବିଷୟରେ କହୁଛନ୍ତି, ସେ ସାଂସାରିକ ଆସକ୍ତି ଓ କାମନାକୁ ଇଙ୍ଗିତ କରୁଛନ୍ତି । ଦିବ୍ୟ କାମନା ଓ ଆସକ୍ତିକୁ ତ୍ୟାଗ କରିବା ଉଚିତ ନୁହେଁ, କାରଣ ତାହା ବନ୍ଦନୀୟ ଅଟେ । ମନକୁ ପବିତ୍ର କରିବା ପାଇଁ ତାହାକୁ ବିକଶିତ କରିବା ଉଚିତ । ଭଗବାନଙ୍କ ପ୍ରତି ଆମର କାମନା ଯେତେ ତୀବ୍ର ହେବ, ଆମର ମନ ସେତେ ଅଧିକ ପବିତ୍ର ହେବ । ଜ୍ଞାନୀମାନେ, ଯିଏକି ନିରାକାର, ନିର୍ଗୁଣ ବ୍ରହ୍ମଙ୍କର ଉପାସନାକୁ ଗୁରୁତ୍ୱ ଦିଅନ୍ତି, ଏହି ତତ୍ତ୍ୱକୁ ନ ବୁଝି ସମସ୍ତ ଆସକ୍ତିକୁ ତ୍ୟାଗ କରିବାକୁ ପରାମର୍ଶ ଦିଅନ୍ତି । ଶ୍ରୀକୃଷ୍ଣ କହୁଛନ୍ତି: ଯେଉଁମାନେ ବିଶୁଦ୍ଧ ଭକ୍ତିରେ ମନକୁ ମୋ ଠାରେ ନିମଗ୍ନ କରନ୍ତି; ତାଙ୍କର ବୁଦ୍ଧି ତ୍ରିଗୁଣାତ୍ମିକ ମାୟାକୁ ଅତିକ୍ରମ କରି ବ୍ରହ୍ମରେ ସ୍ଥିତ ହୋଇଥାଏ (ଭଗବଦ୍ ଗୀତା ୧୪.୨୬) । ଆଗକୁ ଅନେକ ଶ୍ଳୋକରେ ଶ୍ରୀକୃଷ୍ଣ ବାରମ୍ବାର ଭଗବାନଙ୍କ ଠାରେ ମନ ଲଗାଇବା ପାଇଁ ଅର୍ଜୁନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି , ଯେମିତି କି ୮.୭, ୮.୧୪, ୯.୨୨, ୯.୩୪, ୧୦.୧୦, ୧୨.୮, ୧୧.୫୪, ୧୮.୫୫ ୧୮.୫୮, ୧୮.୬୫ ଇତ୍ୟାଦି ।

ରାଗ ଏବଂ ଦ୍ୱେଷ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଦ୍ୱେଷ ମନର ଏକ ନକାରାତ୍ମକ ସଂଯୋଗ ବ୍ୟତୀତ ଅନ୍ୟ କିଛି ନୁହେଁ । ଯେପରି ଆସକ୍ତିରେ, ଯେଉଁ ବସ୍ତୁରେ ମନ ଆସକ୍ତ ରହିଥାଏ ତାହା ମନକୁ ବାରମ୍ବାର ଆସେ, ସେହିପରି ଆମେ ଦ୍ୱେଷ କରୁଥିବା ବସ୍ତୁ ମଧ୍ୟ ଆମ ମନକୁ ବାରମ୍ବାର ଆସିଥାଏ । ତେଣୁ କୌଣସି ବସ୍ତୁରେ ରାଗ ବା ଦ୍ୱେଷ ମନ ଉପରେ ଏକ ପ୍ରକାର ପ୍ରଭାବ ପକାଇଥାଏ- ଏହା ମନକୁ କଳୁଷିତ କରାଏ ଏବଂ ତିନି ପ୍ରକାର ମାୟିକ ଗୁଣ ଆଡ଼କୁ ଟାଣିନିଏ । ଯେତେବେଳେ ମନ ଉଭୟ ରାଗ ଓ ଦ୍ୱେଷ ଠାରୁ ମୁକ୍ତ ହୁଏ ଏବଂ ଭଗବାନଙ୍କ ଭକ୍ତିରେ ନିମଗ୍ନ୍ ହୁଏ, ସେତେବେଳେ ବ୍ୟକ୍ତି ଭଗବାନଙ୍କର କୃପା ପ୍ରାପ୍ତ କରିଥାଏ ଏବଂ ଅନନ୍ତ ଦିବ୍ୟାନନ୍ଦ ଅନୁଭବ କରେ । ଏହିପରି ଉଚ୍ଚକୋଟୀର ଅନୁଭୂତି ପାଇବା ପରେ, ଇନ୍ଦ୍ରିୟ ବିଷୟର ଉପଯୋଗ କରି ମଧ୍ୟ ମନ ସେଥିରେ ଆସକ୍ତ ହୁଏନାହିଁ । ଅତଏବ, ଆମ୍ଭମାନଙ୍କ ପରି ସ୍ୱାଦ ଗ୍ରହଣ କରିବା, ସ୍ପର୍ଶ କରିବା, ଆଘ୍ରାଣ କରିବା, ଶୁଣିବା ଏବଂ ଦେଖିବା ଇତ୍ୟାଦି ସମସ୍ତ କାର୍ଯ୍ୟ କରୁଥିଲେ ମଧ୍ୟ, ସ୍ଥିତପ୍ରଜ୍ଞ ବ୍ୟକ୍ତି ଉଭୟ ରାଗ ଓ ଦ୍ୱେଷ ଠାରୁ ମୁକ୍ତ ରୁହନ୍ତି ।