Bhagavad Gita: Chapter 2, Verse 39

ଏଷା ତେଽଭିହିତା ସାଂଖ୍ୟେ ବୁଦ୍ଧିର୍ଯୋଗେ ତ୍ୱିମାଂ ଶୃଣୁ ।
ବୁଦ୍ଧ୍ୟା ଯୁକ୍ତୋ ଯୟା ପାର୍ଥ କର୍ମବନ୍ଧଂ ପ୍ରହାସ୍ୟସି ।।୩୯।।

ଏଷା-ଏସବୁ; ତେ-ତୁମକୁ; ଅଭିହିତା-ବର୍ଣ୍ଣିତ ହେଲା; ସାଂଖ୍ୟେ- ବିଶ୍ଳେଷଣାତ୍ମକ ଜ୍ଞାନ ସାହାଯ୍ୟରେ; ବୁଦ୍ଧିଃ ଯୋଗେ- ବୁଦ୍ଧିଯୋଗ ଦ୍ୱାରା; ତୁ-ବାସ୍ତବରେ; ଇମାଂ-ଏହା; ଶୃଣୁ-ଶୁଣ; ବୁଦ୍ଧ୍ୟା-ବିଚାର ଦ୍ୱାରା; ଯୁକ୍ତଃ-ଯୁକ୍ତ ହୋଇ; ଯୟା- ଯାହାଦ୍ୱାରା; ପାର୍ଥ-ହେ ପୃଥାପୁତ୍ର; କର୍ମ-ବନ୍ଧଂ- କର୍ମବନ୍ଧନ; ପ୍ରହାସ୍ୟସି-ତୁମେ ମୁକ୍ତ ହୋଇପାରିବ ।

Translation

BG 2.39: ମୁଁ ଏ ପର୍ଯ୍ୟନ୍ତ ତୁମକୁ ସାଂଖ୍ୟ ଯୋଗ ବା ଆତ୍ମା ବିଷୟରେ ବିଶ୍ଳେଷଣାତ୍ମକ ଜ୍ଞାନ ପ୍ରଦାନ କଲି । ହେ ପାର୍ଥ! ବର୍ତ୍ତମାନ ଶୁଣ, ମୁଁ ଏବେ ବୁଦ୍ଧି ଯୋଗ ବିଷୟରେ କହିବାକୁ ଯାଉଛି । ଏହିପରି ବିଚାର ଯୁକ୍ତ ହୋଇ କର୍ମ କରିବା ଦ୍ୱାରା ତୁମେ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ ।

Commentary

ସାଂଖ୍ୟ ଶବ୍ଦଟି ସାଂ ଅର୍ଥାତ୍ ‘ପୂର୍ଣ୍ଣ’ ଓ ଖ୍ୟ ଅର୍ଥାତ୍ ‘ଜାଣିବା’ ଶବ୍ଦରୁ ଉତ୍ପତ୍ତି ହୋଇଛି । ଅତଏବ, ସାଂଖ୍ୟର ଅର୍ଥ କୌଣସି ବିଷୟରେ ପୂର୍ଣ୍ଣ ବିଶ୍ଳେଷଣାତ୍ମକ ଜ୍ଞାନ ଅଟେ । ସାଂଖ୍ୟ ଦର୍ଶନ, ଯାହା ଭାରତୀୟ ଦର୍ଶନ ଅନ୍ତର୍ଗତ ଷଡଦର୍ଶନ ମଧ୍ୟରୁ ଅନ୍ୟତମ ଅଟେ, ବ୍ରହ୍ମାଣ୍ଡର ସମସ୍ତ ଉପାଦନଗୁଡ଼ିକର ବିଶ୍ଳେଷଣାତ୍ମକ ଗଣନା କରିଥାଏ । ଏହା ଚବିଶଟି ଉପାଦାନକୁ ତାଲିକାଭୁକ୍ତ କରିଥାଏ: ପଞ୍ଚମହାଭୂତ (ପୃଥିବୀ, ଜଳ, ଅଗ୍ନି,ବାୟୁ ଓ ଆକାଶ) ପଞ୍ଚତନ୍ମାତ୍ରା (ବସ୍ତୁର ପାଞ୍ଚ ଭୌତିକ ଗୁଣ ସ୍ୱାଦ, ସ୍ପର୍ଶ, ଗନ୍ଧ, ଶବ୍ଦ ଓ ଦୃଷ୍ଟି), ପଞ୍ଚ କର୍ମେନ୍ଦ୍ରିୟ,   ପଞ୍ଚ ଜ୍ଞାନେନ୍ଦ୍ରିୟ, ମନ, ଅହଂକାର (ମହାନ୍ ତତ୍ୱର ବିକାଶ ଦ୍ୱାରା ସୃଷ୍ଟ), ମହାନ୍ (ପ୍ରକୃତିର ବିକାଶ ଦ୍ୱାର ସୃଷ୍ଟ), ପ୍ରକୃତି (ଭୌତିକ ଶକ୍ତିର ଆଦ୍ୟ ରୂପ) । ଏତଦ୍‌ବ୍ୟତିତ ପୁରୁଷ ବା ଆତ୍ମା, ଯିଏ ପ୍ରକୃତିକୁ ଉପଭୋଗ କରିବାକୁ ଚେଷ୍ଟା କରି ସେଥିରେ ଆସକ୍ତ ହୋଇଯାଏ ।

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସାଂଖ୍ୟର ଅନ୍ୟ ଏକ ରୂପ ବର୍ଣ୍ଣନା କଲେ, ଯାହା ଅମର ଆତ୍ମା ବିଷୟରେ ବିଶ୍ଳେଷଣାତ୍ମକ ଜ୍ଞାନ ଥିଲା । ସେ ବର୍ତ୍ତମାନ ଫଳାଫଳର ଅଭିଳାଷ ନ ରଖି କର୍ମ କରିବାର ବିଜ୍ଞାନ ବିଷୟରେ ପ୍ରକାଶ କରିବାକୁ ଯାଉଛନ୍ତି । ଏହା କର୍ମଫଳ ପ୍ରତି ବିରାଗ ଆବଶ୍ୟକ କରେ । ଏହିପରି ବୈରାଗ୍ୟ, ବୁଦ୍ଧି ଦ୍ୱାରା ବିଚାର କରିବାର ଅଭ୍ୟାସ ଦ୍ୱାରା ଆସିଥାଏ । ଶ୍ରୀକୃଷ୍ଣ ଏହାକୁ ବୁଦ୍ଧିଯୋଗ କହୁଛନ୍ତି । ସେ ପରବର୍ତ୍ତୀ ଶ୍ଳୋକଗୁଡ଼ିକରେ (୨.୪୧ ଓ ୨.୪୪) ମନରେ ବୈରାଗ୍ୟ ଉତ୍ପନ୍ନ କରିବା ଦିଗରେ ବୁଦ୍ଧି କିପରି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ, ସେ ବିଷୟରେ ବର୍ଣ୍ଣନା କରିଛନ୍ତି ।

Watch Swamiji Explain This Verse