ନ ତ୍ୱେବାହଂ ଜାତୁ ନାସଂ ନ ତ୍ୱଂ ନେମେ ଜନାଧିପାଃ ।
ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍ ।।୧୨।।
ନ- କଦାପି ନୁହେଁ; ତୁ- କିନ୍ତୁ; ଏବ-ନିଶ୍ଚିତଭାବେ; ଅହଂ-ମୁଁ; ଜାତୁ- କେବେ ବି; ନ-ନୁହେଁ; ଆସଂ-ଥିଲି; ନ - ନୁହେଁ; ତ୍ୱଂ-ତୁମେ; ନ-ନୁହେଁ;ଇମେ -ଏହିସବୁ; ଜନ-ଅଧିପାଃ -ରାଜା; ନ -କଦାପି ନୁହେଁ; ଚ-ମଧ୍ୟ; ଏବ-ବାସ୍ତବରେ; ନ ଭବିଷ୍ୟାମଃ- ଭବିଷ୍ୟତରେ ରହିବେ ନାହିଁ; ସର୍ବେ-ସମସ୍ତେ; ବୟଂ- ଆମ୍ଭେମାନେ ; ଅତଃ -ଏବେ ଠାରୁ ପରମ୍-ପରେ ।
Translation
BG 2.12: ଏମିତି କୌଣସି ସମୟ ନ ଥିଲା ଯେତେବେଳେ ମୁଁ ନ ଥିଲି, ତୁମେ ନ ଥିଲ, ବା ଏହି ରାଜାମାନେ ନ ଥିଲେ; ଭବିଷ୍ୟତରେ ମଧ୍ୟ ଏପରି ସମୟ କେବେ ବି ଆସିବ ନାହିଁ ଯେତେବେଳେ ଆମେ କେହି ନ ଥିବା ।
Commentary
ଡେଲଫିଠାରେ ଅବସ୍ଥିତ ଆପୋଲୋ ମନ୍ଦିରର ପ୍ରବେଶ ଦ୍ୱାରରେ ଏହି ଶବ୍ଦ ଖୋଦିତ ହୋଇଛି - ଏଦ୍ଭକ୍ଟଗ୍ଧଷସ ଝରଙ୍କଗ୍ଧକ୍ଟଦ୍ଭ ଅର୍ଥାତ୍ “ନିଜକୁ ଜାଣ” । ଏଥେନ୍ସର ପ୍ରଖ୍ୟାତ ଦାର୍ଶନିକ ସକ୍ରେଟିସ୍ ମଧ୍ୟ ଲୋକମାନଙ୍କୁ ନିଜର ସ୍ୱରୂପ ସମ୍ବନ୍ଧରେ ଜାଣିବାକୁ ଉତ୍ସାହିତ କରିବାରେ ଆଗ୍ରହୀ ଥିଲେ । ସେଠାରେ ଏପରି ଏକ କଥା ଶୁଣିବାକୁ ମିଳିଥାଏ ଯେ ଥରେ ସକ୍ରେଟିସ୍ ଗଭୀର ଚିନ୍ତାମଗ୍ନ ଅବସ୍ଥାରେ ରାସ୍ତାରେ ଚାଲୁଥିବା ସମୟରେ ଅକସ୍ମାତ୍ ଅନ୍ୟଜଣେ ବ୍ୟକ୍ତିଙ୍କ ସହ ଧକ୍କା ହୋଇଗଲା । ବ୍ୟକ୍ତି ଜଣକ ବିରକ୍ତ ହୋଇ ପଚାରିଲେ, “ତୁମେ କ’ଣ ଦେଖିପାରୁନ କେଉଁ ରାସ୍ତାରେ ଚାଲୁଛ? କିଏ ତୁମେ ?” ସକ୍ରେଟିସ୍ କୌତୁହଳ ପୂର୍ବକ ଉତ୍ତର ଦେଲେ, “ପ୍ରିୟ ବନ୍ଧୁ, ମୁଁ ଏହି ପ୍ରଶ୍ନର ଉତ୍ତର ଗତ ଚାଳିଶ ବର୍ଷ ଧରି ଖୋଜୁଛି । ତୁମେ ଯଦି କେବେ ଜାଣି ପାରିବ ମୁଁ କିଏ, ତାହାହେଲେ ଦୟା କରି ମୋତେ ଜଣାଇବ ।”
ବୈଦିକ ପରମ୍ପରା ଅନୁଯାୟୀ, ଦିବ୍ୟ ଜ୍ଞାନ ପ୍ରଦାନ କରିବାର ପ୍ରକ୍ରିୟା ଆତ୍ମଜ୍ଞାନରୁ ଆରମ୍ଭ ହୋଇଥାଏ । ଭଗବଦ୍ ଗୀତାରେ ଶ୍ରୀକୃଷ୍ଣ ସେହି ପଦ୍ଧତିର ଅନୁସରଣ କରି ଯେଉଁ ଜ୍ଞାନ ଦେଇଛନ୍ତି ତାହା ସକ୍ରେଟିସଙ୍କ ପାଦ ତଳୁ ଭୂମି ଖସାଇ ଦେଇଥାନ୍ତା । ଶ୍ରୀକୃଷ୍ଣ ବ୍ୟାଖ୍ୟା ଆରମ୍ଭ କରିବାକୁ ଯାଇ କହୁଛନ୍ତି, ଆମ୍ଭେମାନେ ଯେଉଁ ତତ୍ତ୍ୱକୁ ‘ମୁଁ’ ବୋଲି କହିଥାଏ ତାହା ବାସ୍ତବରେ ଆତ୍ମା ଅଟେ, ମାୟିକ ଶରୀର ନୁହେଁ । ଭଗବାନଙ୍କ ପରି ତାହା ନିତ୍ୟ ଅଟେ । ଶ୍ୱେତାଶ୍ୱତର ଉପନିଷଦ କହେ:
ଜ୍ଞାଜେ୍ଞø ଦ୍ୱାବଜା ବୀଶନୀଶାବଜା ହୈକା ଭୋକ୍ତୃ ଭୋଗ୍ୟାର୍ଥ ଯୁକ୍ତା ।
ଅନନ୍ତଶ୍ଚାତ୍ମା ବିଶ୍ୱରୂପୋ ହ୍ୟକର୍ତା ତ୍ରୟଂ ଯଦା ବିନ୍ଦତେ ବ୍ରହ୍ମମେତତ୍ । (୧.୯)
ଉପରୋକ୍ତ ଶ୍ଳୋକ ବର୍ଣ୍ଣନା କରୁଛି ଯେ, ସୃଷ୍ଟି ତିନୋଟି ତତ୍ତ୍ୱର ସମାହାର ଅଟେ - ବ୍ରହ୍ମ, ଜୀବ ଓ ମାୟା ଏବଂ ଏହି ତିନୋଟି ତତ୍ତ୍ୱ ନିତ୍ୟ ଅଟନ୍ତି । ଆମେ ଯଦି ବିଶ୍ୱାସ କରୁଥାଏ ଯେ ଜୀବ ନିତ୍ୟ ଅଟେ, ତାହେଲେ ଏହା ଯୁକ୍ତିସଂଗତ ଯେ ମାୟିକ ଶରୀରର ମୃତ୍ୟୁ ପରେ ମଧ୍ୟ ଜୀବନ ଅଛି । ଶ୍ରୀକୃଷ୍ଣ ଏହି ବିଷୟରେ ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି ।