Bhagavad Gita: Chapter 2, Verse 16

ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ ।
ଉଭୟୋରପି ଦୃଷ୍ଟୋଽନ୍ତସ୍ତ୍ୱନୟୋସ୍ତତ୍ତ୍ୱ ଦର୍ଶିଭିଃ ।।୧୬।।

ନ- ନାହିଁ; ଅସତଃ-ଅସତ୍‌ର; ବିଦ୍ୟତେ- ଅଛି; ଭାବଃ- ସ୍ଥାୟୀତ୍ୱ; ନ-ନାହିଁ; ଅଭାବଃ-ପରିସମାପ୍ତି; ବିଦ୍ୟତେ-ଅଛି; ସତଃ-ସତ୍‌ର; ଉଭୟୋଃ-ଉଭୟର; ଅପି-ମଧ୍ୟ; ଦୁଷ୍ଟଃ-ଦେଖାଯାଏ; ଅନ୍ତଃ- ସମାପ୍ତି; ତୁ-ନିଶ୍ଚିତ ଭାବରେ; ଅନୟୋଃ- ଏ ଦୁହିଁଙ୍କର; ତତ୍ତ୍ୱଦର୍ଶିଭିଃ- ତତ୍ତ୍ୱଦର୍ଶୀମାନଙ୍କ ଦ୍ୱାରା ।

Translation

BG 2.16: ଅସତ୍‌ର ସ୍ଥାୟୀତ୍ୱ ନାହିଁ ଏବଂ ସତ୍‌ର ଅନ୍ତ ନାହିଁ । ଉଭୟର ସ୍ୱରୂପ ଅଧ୍ୟୟନ କରି ତତ୍ତ୍ୱଦର୍ଶୀମାନେ ଏହା ନିର୍ଣ୍ଣୟ କରିଥାଆନ୍ତି ।

Commentary

ଶ୍ୱେତାଶ୍ୱତର ଉପନିଷଦ ଅନୁସାରେ, ତିନୋଟି ତତ୍ତ୍ୱ ରହିଛି:

        ଭୋକ୍ତା ଭୋଗ୍ୟଂ ପ୍ରେରିତାରଂ ଚ ମତ୍ୱା ସର୍ବଂ ପ୍ରୋକ୍ତଂ ତ୍ରିବିଧଂ ବ୍ରହ୍ମମେତତ୍ (୧.୧୨)
କ୍ଷରଂ ପ୍ରଧାନମମୃତାକ୍ଷରଂ ହରଃ କ୍ଷରାତ୍ମାନାବୀଶତେ ଦେବ ଏକଃ (୧.୧୦)
ସଂଯୁକ୍ତମେତତ୍‌କ୍ଷରମକ୍ଷରଂ ଚ ବ୍ୟକ୍ତାବ୍ୟକ୍ତଂ ଭରତେ ବିଶ୍ୱମୀଶଃ (୧.୮)

 

ଏହି ସବୁ ବେଦ ମନ୍ତ୍ର କହୁଛନ୍ତି ଯେ ଭଗବାନ, ଜୀବାତ୍ମା ଏବଂ ମାୟା । ଏହି ତିନୋଟି ତତ୍ତ୍ୱ ଚିରନ୍ତନ ଅଟନ୍ତି ।

୧. ଭଗବାନ ଚିରନ୍ତନ ଅଟନ୍ତି । ସେଥିପାଇଁ ସେ ସତ୍ ଅଟନ୍ତି । ବେଦରେ ତାଙ୍କର ଏକ ନାମ ଅଛି ସତ୍‌-ଚିତ୍‌-ଆନନ୍ଦ (ନିତ୍ୟ-ଜ୍ଞାନ ଯୁକ୍ତ-ଆନନ୍ଦର ସାଗର) ।

୨. ଆତ୍ମା ଅବିନାଶୀ ଅଟେ, ତେଣୁ ସେ ମଧ୍ୟ ସତ୍ ଅଟେ । କିନ୍ତୁ ଶରୀର ଦିନେ ନଷ୍ଟ ହୋଇଯିବ, ତେଣୁ ତାହା ଅସତ୍ (କ୍ଷଣସ୍ଥାୟୀ) ଅଟେ । ଆତ୍ମା ମଧ୍ୟ ସତ୍‌-ଚିତ୍‌-ଆନନ୍ଦ କିନ୍ତୁ ଏହା ଅଣୁ ଅଟେ । ଅତଏବ, ଆତ୍ମା ଅଣୁସତ୍‌, ଅଣୁଚିତ୍ ଏବଂ ଅଣୁଆନନ୍ଦ ଅଟେ ।

୩. ମାୟା ତତ୍ତ୍ୱ, ଯାହା ଦ୍ୱାରା ଏହି ସଂସାର ଗଠିତ, ସତ୍ ବା ନିତ୍ୟ ଅଟେ । କିନ୍ତୁ ଆମ ଚତୁପାଶ୍ୱର୍ରେ ଆମେ ଯେଉଁ ସବୁ ପଦାର୍ଥ ଦେଖିବାକୁ ପାଇଥାଏ ତାହା ଦିନେ ସୃଷ୍ଟି ହୋଇଥିବ ଏବଂ ସମୟ କ୍ରମେ ଲୋପ ମଧ୍ୟ ହୋଇଯିବ । ସେଥିପାଇଁ ସେ ସବୁକୁ ଅସତ୍ ବା କ୍ଷଣସ୍ଥାୟୀ କୁହାଯାଏ । ସଂସାର ଅସତ୍ ହୋଇଥିବା ସ୍ଥଳେ ମାୟା ତତ୍ତ୍ୱଟି ସତ୍ ଅଟେ ।

ସଂସାର ଅସତ୍ ଅଟେ, ତା’ର ଅର୍ଥ ନୁହେଁ ଯେ ଏହା ମିଥ୍ୟା ଅଟେ । ଅସତ୍ (କ୍ଷଣସ୍ଥାୟୀ)ର ଅର୍ଥ ମିଥ୍ୟା ବା “ଅସ୍ଥିତ୍ୱହୀନ” ନୁହେଁ । କେତେକ ଦାର୍ଶନିକଙ୍କ ମତରେ ସଂସାର ମିଥ୍ୟା ବା ଅସ୍ଥିତ୍ୱହୀନ ଅଟେ । ସେମାନେ ଦାବି କରନ୍ତି ଯେ ଆମର ଅଜ୍ଞାନତା ଆମକୁ ସଂସାରର ବୋଧ କରାଉଛି । ଆମେ ଯେତେବେଳେ ବ୍ରହ୍ମଜ୍ଞାନ ଲାଭ କରିବା (ପରମାତ୍ମାଙ୍କ ବିଷୟରେ ଜ୍ଞାନ), ସେତେବେଳେ ସଂସାରର ସ୍ଥିତି ରହିବ ନାହିଁ । କିନ୍ତୁ ଏହା ଯଦି ସତ୍ୟ ହୋଇଥାନ୍ତା, ତେବେ ଭଗବତ୍ ପ୍ରାପ୍ତ ମହାପୁରୁଷମାନଙ୍କ ପାଇଁ ଏ ସଂସାର ରହନ୍ତା ନାହିଁ । ଯେହେତୁ ସେମାନଙ୍କର ଅଜ୍ଞନତା ଦୂର ହୋଇଯାଇଛି, ସେମାନଙ୍କ ପାଇଁ ସଂସାରର ସ୍ଥିତି ରହନ୍ତା ନାହିଁ । ତାହାହେଲେ ବ୍ରହ୍ମଜ୍ଞାନ ପ୍ରାପ୍ତ ହେଲା ପରେ ମୁନିଋଷିମାନେ ପୁସ୍ତକ ରଚନା କିପରି କରନ୍ତି? କାଗଜ କଲମ କେଉଁଠୁ ଆସେ? ବ୍ରହ୍ମଜ୍ଞାନୀମାନେ ମଧ୍ୟ ସଂସାରର ବସ୍ତୁ ବ୍ୟବହାର କରନ୍ତି, ଏହା ପ୍ରମାଣ କରେ ଯେ ତାଙ୍କ ପାଇଁ ମଧ୍ୟ ସଂସାରର ଅସ୍ଥିତ୍ୱ ଅଛି । ତା’ଛଡ଼ା ବ୍ରହ୍ମଜ୍ଞାନୀମାନେ ମଧ୍ୟ ତାଙ୍କ ଶରୀର ପାଇଁ ଖାଦ୍ୟ ଆବଶ୍ୟକ କରନ୍ତି । ବେଦଶାସ୍ତ୍ର କହେ: ପଶ୍ୱାଦିଭିଶ୍ଚାବିଶେଷତ୍ “ଭଗବତ୍ ପ୍ରାପ୍ତ ମହାପୁରୁଷମାନେ ମଧ୍ୟ, ସମସ୍ତ ପ୍ରାଣୀଙ୍କ ପରି, କ୍ଷୁଧା ଅନୁଭବ କରନ୍ତି ଏବଂ ଖାଦ୍ୟ ଆବଶ୍ୟକ କରନ୍ତି ।” ତାଙ୍କ ପାଇଁ ଯଦି ସଂସାର ନ ଥାନ୍ତା, ତାହାହେଲେ ସେମାନେ କିପରି ଓ କାହିଁକି ଖାଆନ୍ତେ?

ପୁନଶ୍ଚ, ତୈତ୍ତିରୀୟ ଉପନିଷଦ ଆମକୁ ବାରମ୍ବାର କହିଥାଏ ଯେ ଭଗବାନ ସଂସାରରେ ସର୍ବତ୍ର ବ୍ୟାପ୍ତ ରହିଛନ୍ତି:

ସୋଽକାମୟତ ବହୁ ସ୍ୟାଂ ପ୍ରଜାୟେୟେତି ସ ତପୋଽତପ୍ୟତ ସ ତପସ୍ତପ୍‌ତ୍ୱା ଇଦଂ ସର୍ବମସୃଜତ ଯଦିଦଂ କିଂ ଚ ତତ୍ ସୃଷ୍ଟ୍‌ା ତଦେବାନୁପ୍ରାବିଶତ୍ ତଦନୁପ୍ରବିଶ୍ୟ ସଚ୍ଚ ତ୍ୟଚ୍ଚାଭବତ୍ ନିରୁକ୍ତଂ ଚାନିରୁକ୍ତଂ ଚ ନିଲୟନଂ ଚାନିଲୟନଂ ଚ ବିଜ୍ଞାନଂ ଚାବିଜ୍ଞାନଂ ଚ ସତ୍ୟଂ ଚାନୃତମ୍ ଚ ସତ୍ୟମଭବତ୍ ଯଦିଦଂ କିଂ ଚ ତତ୍ସତ୍ୟମିତ୍ୟାଚକ୍ଷତେ ତଦପ୍ୟେଷ ଶ୍ଲୋକୋ ଭବତି (୨.୬.୪)

ଏହି ବେଦ ମନ୍ତ୍ର କହୁଛି, ଭଗବାନ କେବଳ ସଂସାର ସୃଷ୍ଟି କରିନାହାନ୍ତି, ସେ ଏହାର ସମସ୍ତୁ ଅଣୁରେ ମଧ୍ୟ ପ୍ରବିଷ୍ଟ ହୋଇଛନ୍ତି । ଯଦି ଭଗବାନ ସଂସାରରେ ସର୍ବବ୍ୟାପ୍ତ ଅଟନ୍ତି ତାହେଲେ ସଂସାର ସ୍ଥିତିହୀନ କିପରି ହେବ? ତେଣୁ ସଂସାରକୁ ମିଥ୍ୟା କହିବା ଅର୍ଥ ଭଗବାନଙ୍କର ସର୍ବବ୍ୟାପକତାକୁ ଅସ୍ୱୀକାର କରିବା । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ସଂସାରର ଅସ୍ତିତ୍ୱ ଅଛି କିନ୍ତୁ ଏହା କ୍ଷଣସ୍ଥାୟୀ, ତେଣୁ ସେ ଏହାକୁ ଅସତ୍ ବା ଅସ୍ଥାୟୀ କହୁଛନ୍ତି । ସେ ଏହାକୁ ମିଥ୍ୟା ବା ଅସ୍ତିତ୍ୱହୀନ କହୁନାହାଁନ୍ତି ।

Watch Swamiji Explain This Verse