ଯଦୃଚ୍ଛୟା ଚୋପପନ୍ନଂ ସ୍ୱର୍ଗଦ୍ୱାରମପାବୃତମ ।
ସୁଖିନଃ କ୍ଷତ୍ରିୟାଃ ପାର୍ଥ ଲଭନ୍ତେ ଯୁଦ୍ଧମୀଦୃଶମ୍ ।।୩୨।।
ଯଦୃଚ୍ଛୟା-ଆପେ ଆପେ (ସ୍ୱତଃ); ଚ-ଏବଂ; ଉପପନ୍ନଂ-ଉପସ୍ଥିତ; ସ୍ୱର୍ଗ-ସ୍ୱର୍ଗ; ଦ୍ୱାରଂ-ଦ୍ୱାର; ଅପାବୃତମ୍-ଉନ୍ମୁକ୍ତ; ସୁଖିନଃ-ଅତ୍ୟନ୍ତ ସୁଖୀ; କ୍ଷତ୍ରିୟାଃ-କ୍ଷତ୍ରିୟମାନେ; ପାର୍ଥ- ହେ ପୃଥାପୁତ୍ର; ଲଭନ୍ତେ-ଲାଭ କରନ୍ତି; ଯୁଦ୍ଧଂ-ଯୁଦ୍ଧ; ଈଦୃଶମ୍- ଏହି ପ୍ରକାର ।
Translation
BG 2.32: ହେ ପାର୍ଥ! ଧର୍ମ ରକ୍ଷା କରିବାର ଏପରି ସୁଯୋଗ ଯେଉଁ କ୍ଷତ୍ରିୟମାନଙ୍କ ପାଇଁ ଆପେ ଆପେ ଆସିଥାଏ, ସେମାନେ ସୁଖି ଅଟନ୍ତି, ଯାହା ତାଙ୍କ ପାଇଁ ସ୍ୱର୍ଗର ଦ୍ୱାର ଉନ୍ମୁକ୍ତ କରିଦିଏ ।
Commentary
ସମାଜକୁ ସୁରକ୍ଷା ଦେବା ପାଇଁ କ୍ଷତ୍ରିୟମାନଙ୍କର ଆବଶ୍ୟକତା ବିଶ୍ୱରେ ସର୍ବଦା ରହିଛି । ବୃତ୍ତିଗତ କର୍ତ୍ତବ୍ୟ ଦୃଷ୍ଟିରୁ ଯୋଦ୍ଧାମାନେ ସାହସୀ ହେଇଥିବା ଏବଂ ଆବଶ୍ୟକ ସ୍ଥଳେ, ସମାଜର ସୁରକ୍ଷା ପାଇଁ ତାଙ୍କର ଜୀବନ ବଳିଦାନ ଦେବା ପାଇଁ ପ୍ରସ୍ତୁତ ରହିଥିବା ଆବଶ୍ୟକ । ବୈଦିକ ଯୁଗରେ ସମାଜର ସମସ୍ତ ବର୍ଗ ପାଇଁ ପଶୁ ହତ୍ୟା ନିଷିଦ୍ଧ ଥିବାବେଳେ, କ୍ଷତ୍ରିୟମାନଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା କରିବା ପାଇଁ ପଶୁହତ୍ୟାର ଅନୁମତି ଥିଲା । ଏପରି ପ୍ରତିଦ୍ୱନ୍ଦୀ ଯୋଦ୍ଧାମାନଙ୍କ ଠାରୁ ଧର୍ମ ରକ୍ଷାର ସୁଯୋଗକୁ ମୁକ୍ତ ହସ୍ତରେ ସ୍ୱାଗତ କରିବାର ଆଶା ରଖାଯାଉଥିଲା । ସେମାନଙ୍କର କର୍ତ୍ତବ୍ୟ ପାଳନ, ଇହଜନ୍ମ ଓ ପରଜନ୍ମରେ ଏକ ପୁଣ୍ୟ କାର୍ଯ୍ୟ ରୂପେ ପୁରଷ୍କୃତ ହୋଇଥାଏ ।
ବୃତ୍ତିଗତ କର୍ତ୍ତବ୍ୟର ଉଚିତ୍ ନିର୍ବାହ ଏକ ଆଧ୍ୟାତ୍ମିକ କର୍ମ ନୁହେଁ ଏବଂ ଏହାର ଫଳ ଭଗବତ୍ ପ୍ରାପ୍ତି ନୁହେଁ । ଏହା କେବଳ ଏକ ପୁଣ୍ୟ କର୍ମ ଯାହା ସଂସାରିକ ବୈଭବ ପ୍ରଦାନ କରିଥାଏ । ଶ୍ରୀକୃଷ୍ଣ ତାଙ୍କର ନିର୍ଦ୍ଦେଶକୁ ସାମାନ୍ୟ ନିମ୍ନାଭିମୁଖୀ କରି କହୁଛନ୍ତି, ଯଦି ଅର୍ଜୁନ ଆଧ୍ୟାତ୍ମିକ ଜ୍ଞାନ ପ୍ରତି ଆଗ୍ରହୀ ନ ହୋଇ ଶାରୀରିକ ସ୍ତରରେ ରହିବାକୁ ଇଚ୍ଛା କରଥାଆନ୍ତି, ତଥାପି କ୍ଷତ୍ରିୟ ଭାବରେ ଧର୍ମରକ୍ଷା ପାଇଁ ଯୁଦ୍ଧ କରିବା ତାଙ୍କର ସାମାଜିକ କର୍ତ୍ତବ୍ୟ ଅଟେ ।
ଆମ୍ଭେମାନେ ଏଠାରେ ଦେଖି ପାରିବା ଯେ, ଭଗବଦ୍ ଗୀତା କର୍ମକୁ ଆହ୍ୱାନ ଦେଇଥାଏ, ନିଷ୍କ୍ରିୟତାକୁ ନୁହେଁ । କୌଣସି ଆଧ୍ୟାତ୍ମିକ ପ୍ରବଚନ ଶୁଣି ଅନେକ ସମୟରେ ଲୋକେ ପ୍ରଶ୍ନ କରନ୍ତି, “ଆପଣ ମୋତେ କର୍ମ ତ୍ୟାଗ କରିବାକୁ କହୁଛନ୍ତି କି?” କିନ୍ତୁ ଶ୍ରୀକୃଷ୍ଣ ଏଥିରେ ଅର୍ଜୁନଙ୍କୁ ବିପରୀତ ନିର୍ଦ୍ଦେଶ ଦେଉଛନ୍ତି । ଯେତେବେଳେ ଅର୍ଜୁନ ତାଙ୍କର କର୍ତ୍ତବ୍ୟ ତ୍ୟାଗ କରିବାକୁ ଚାହୁଁଛନ୍ତି, ସେତେବେଳେ ଶ୍ରୀକୃଷ୍ଣ ବାରମ୍ବାର ତାଙ୍କୁ କର୍ତ୍ତବ୍ୟ କରିବାକୁ ଉତ୍ସାହିତ କରୁଛନ୍ତି । ଅର୍ଜୁନଙ୍କଠାରେ ଯେଉଁ ପରିବର୍ତ୍ତନ ଶ୍ରୀକୃଷ୍ଣ ଆଶା କରୁଛନ୍ତି ତାହା ଅନ୍ତରଙ୍ଗ ସ୍ତରରେ ଚେତନାରେ ପରିବର୍ତ୍ତନ ଅଟେ, ବାହ୍ୟ ସ୍ତରରେ କର୍ତ୍ତବ୍ୟ ତ୍ୟାଗ ନୁହେଁ । ବର୍ତ୍ତମାନ ସେ କର୍ତ୍ତବ୍ୟ ତ୍ୟାଗର ଫଳାଫଳ ସମ୍ପର୍କରେ ଅର୍ଜୁନଙ୍କୁ ବୁଝାଉଛନ୍ତି ।