Bhagavad Gita: Chapter 2, Verse 56

ଦୁଃଖେଷ୍ୱନୁଦ୍‌ବିଗ୍ନମନାଃ ସୁଖେଷୁ ବିଗତସ୍ପୃହଃ ।
ବୀତରାଗଭୟକ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ୟତେ ।।୫୬।।

ଦୁଃଖେଷୁ-ଦୁଃଖରେ; ଅନୁଦ୍‌ବିଗ୍ନ ମନାଃ- ଉଦ୍‌ବିଗ୍ନ ନ ହୋଇ; ସୁଖେଷୁ-ସୁଖରେ ; ବିଗତସ୍ପୃହଃ- ଅତ୍ୟଧିକ ଆଗ୍ରହ ପ୍ରକାଶ ନକରି; ବୀତ-ମୁକ୍ତ; ରାଗ-ଆସକ୍ତି; ଭୟ-ଭୟ; କ୍ରୋଧଃ-କ୍ରୋଧ; ସ୍ଥତଧୀଃ- ସ୍ଥିର ବୁଦ୍ଧି; ମୁନିଃ-ମୁନି (ମନନଶୀଳ); ଉଚ୍ୟତେ- କୁହାଯାଏ ।

Translation

BG 2.56: ଯାହାର ମନ ଦୁଃଖରେ ବିଚଳିତ ହୁଏନାହିଁ, ସୁଖ ପ୍ରତି ଲାଳାୟିତ ହୁଏନାହିଁ, ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ରହେ, ତାଙ୍କୁ ସ୍ଥିତପ୍ରଜ୍ଞ ମୁନି କୁହାଯାଏ ।

Commentary

ଶ୍ରୀକୃଷ୍ଣ ଏହି ଶ୍ଳୋକରେ, ସ୍ଥିତପ୍ରଜ୍ଞ ମୁନିଙ୍କ ବିଷୟରେ ଏହିପରି ବର୍ଣ୍ଣନା କରିଛନ୍ତି: (୧) ବୀତ ରାଗ - ସେମାନେ ସୁଖର ଲାଳସା ତ୍ୟାଗ କରିଥାନ୍ତି, (୨) ବୀତ ଭୟ- ସେମାନେ ଭୟମୁକ୍ତ ରହନ୍ତି । (୩) ବୀତ କ୍ରୋଧ- ସେମାନେ କ୍ରୋଧମୁକ୍ତ ହୋଇଥାନ୍ତି ।

ଜଣେ ଜ୍ଞାନୀ ବ୍ୟକ୍ତି ନିଜର ମନରେ ଲୋଭ, କ୍ରୋଧ, କାମନା, ଈର୍ଷା ଇତ୍ୟାଦି ମାୟିକ ଦୁର୍ବଳତା ପୋଷଣ କରିବାକୁ ଦିଅନ୍ତି ନାହିଁ । ସେଥିପାଇଁ ସେମାନେ ମନକୁ ସ୍ଥିର ରଖି ଦିବ୍ୟ ପରମାତ୍ମାଙ୍କର ଧ୍ୟାନରେ କେନ୍ଦ୍ରିତ କରିପାରନ୍ତି । ମନକୁ ଯଦି ଆମେ ଦୁଃଖର ଚିନ୍ତନ କରିବାକୁ ଛାଡିଦେବା, ତେବେ ତା’ର ଦିବ୍ୟ ଚିନ୍ତନ ସମାପ୍ତ ହୋଇଯିବ ଏବଂ ସେ ଦିବ୍ୟ ସ୍ତରରୁ ତଳକୁ ଚାଲି ଆସିବ । କଷ୍ଟରେ ମଧ୍ୟ ସେହିପରି ହୋଇଥାଏ । ବର୍ତ୍ତମାନର କଷ୍ଟ ସହିତ ଅତୀତ କଷ୍ଟର ସ୍ମୃତି ଏବଂ ଭବିଷ୍ୟତ କଷ୍ଟର ଆଶଙ୍କା ମନକୁ ନିର୍ଯ୍ୟାତିତ କରିଥାଏ । କିନ୍ତୁ ଯେତେବେଳେ  ମନ ଏହି ଦୁଇଟିକୁ ହଟାଇ ଦେଇ କେବଳ ବର୍ତ୍ତମାନର ଅନୁଭୂତି ଉପରେ ଚିନ୍ତା କରିଥାଏ, ଆଶ୍ଚର୍ଯ୍ୟଜନକ ଭାବେ କଷ୍ଟଟି ସହିବାର ସୀମା ଭିତରକୁ ସଂକୁଚିତ ହୋଇଯାଏ । ଇତିହାସରେ ଏହା ଜଣାଶୁଣା ଯେ ବୌଦ୍ଧ ସନ୍ନ୍ୟାସୀମାନେ ଏହି ଉପାୟରେ ଆକ୍ରମଣକାରୀ ମାନଙ୍କର ନିର୍ଯ୍ୟାତନାକୁ ସହ୍ୟ କରି ପାରୁଥିଲେ ।

ସେହିପରି, ମନ ଯଦି ବାହ୍ୟ ସୁଖ ପାଇଁ ଲାଳାୟିତ ହୋଇ ଭୋଗ୍ୟ ବସ୍ତୁ ଅଭିମୁଖରେ ଧାବିତ ହୁଏ, ତେବେ ମଧ୍ୟ ତାହା ଦିବ୍ୟ ଚିନ୍ତନରୁ ବିଚ୍ୟୁତ ହୋଇଯାଏ । ତେଣୁ ଜଣେ ସ୍ଥିତପ୍ରଜ୍ଞ ମୁନି ସେ ଅଟନ୍ତି ଯିଏ ନିଜର ମନକୁ ସୁଖ ପ୍ରତି ଲାଳାୟିତ ଏବଂ ଦୁଃଖରେ ଶୋକାଭିଭୂତ ହେବାକୁ ଦିଅନ୍ତି ନାହିଁ । ପୁନଶ୍ଚ ସେ ତାଙ୍କର ମନକୁ ଭୟ ଓ କ୍ରୋଧରେ ଗ୍ରସ୍ତ ହେବାକୁ ଦିଅନ୍ତି ନାହିଁ । ଏହିପରି ଭାବରେ ତାଙ୍କର ମନ ଦିବ୍ୟ ଚେତନାରେ ସ୍ଥିତ ରହିଥାଏ ।

Watch Swamiji Explain This Verse