Bhagavad Gita: Chapter 2, Verse 59

ବିଷୟା ବିନିବର୍ତନ୍ତେ ନିରାହାରସ୍ୟ ଦେହିନଃ ।
ରସବର୍ଜଂ ରସୋଽପ୍ୟସ୍ୟ ପରଂ ଦୃଷ୍‌ଟ୍ୱା ନିବର୍ତତେ ।।୫୯।।

ବିଷୟାଃ- ଇନ୍ଦ୍ରିୟ ଭୋଗ୍ୟବସ୍ତୁ ; ବିନିବର୍ତନ୍ତେ- ଦୂରରେ ରହିବା; ନିରାହାରସ୍ୟ-ଆତ୍ମସଂଯମର ଅଭ୍ୟାସ; ଦେହିନଃ-ଦେହୀର; ରସବର୍ଜଂ-ରସକୁ ବର୍ଜନ କରି; ରସଃ-ସ୍ୱାଦ; ଅପି-ଯଦିଓ; ଅସ୍ୟ- ବ୍ୟକ୍ତିର; ପରଂ-ପରତତ୍ତ୍ୱର; ଦୃଷ୍ଟ୍‌ବା- ଅନୁଭବ କରି; ନିବର୍ତତେ- ତହିଁରୁ କ୍ଷାନ୍ତ ହୁଏ ।

Translation

BG 2.59: ସାଧକମାନେ ନିଜକୁ ଇନ୍ଦ୍ରିୟଭୋଗ୍ୟ ବସ୍ତୁଠାରୁ ଦୂରେଇ ରଖିପାରନ୍ତି, କିନ୍ତୁ ସେହି ଭୋଗ୍ୟ ବସ୍ତୁଗୁଡ଼ିକର ସ୍ୱାଦର ଚେତନା ଇନ୍ଦ୍ରିୟମାନଙ୍କ ଠାରେ ତଥାପି ରହିଯାଇଥାଏ । ପରତତ୍ତ୍ୱର ଉପଲବ୍‌ଧିରେ ସେହି ସ୍ୱାଦ ମଧ୍ୟ ସମାପ୍ତ ହୋଇଯାଏ ।

Commentary

ଉପବାସ ସମୟରେ ଇନ୍ଦ୍ରିୟର ଖାଦ୍ୟ କାମନା କ୍ଷୀଣ ହୋଇଯାଏ । ସେହିପରି ଅସୁସ୍ଥତା ସମୟରେ ମନୋରଞ୍ଜନ ସାମଗ୍ରୀ ପ୍ରତି ମନ ଆକର୍ଷିତ ହୁଏନାହିଁ । କିନ୍ତୁ ଅନାଗ୍ରହର ଏହି ଅବସ୍ଥା କ୍ଷଣସ୍ଥାୟୀ ଅଟେ, କାମନାର ବୀଜ ମନ ଭିତରେ ରହିଥାଏ । ଯେତେବେଳେ ଉପବାସ ସମାପ୍ତ ହୁଏ ବା ଅସୁସ୍ଥତା ଦୂର ହୁଏ, ପୁନର୍ବାର କାମନା ଜାଗ୍ରତ ହୁଏ ।

କାମନାର ବୀଜ କ’ଣ ? ଆତ୍ମା ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଅଟେ । ତେଣୁ ଭଗବାନଙ୍କର ଦିବ୍ୟ ଆନନ୍ଦ ପ୍ରତି ଆକର୍ଷଣ ଏହାର ଏକ ଅନ୍ତର୍ନିହିତ ସ୍ୱଭାବ । ଯେପର୍ଯ୍ୟନ୍ତ ଦିବ୍ୟ ଆନନ୍ଦ ପ୍ରାପ୍ତ ହୋଇନାହିଁ, ଆତ୍ମା କେବେବି ସନ୍ତୁଷ୍ଟ ହେବନାହିଁ ଏବଂ ଆନନ୍ଦର ଅନ୍ୱେଷଣ କରୁଥିବ । ସାଧକମାନେ ବଳପୂର୍ବକ ଇଚ୍ଛାଶକ୍ତି ଦ୍ୱାରା ତାଙ୍କର ଇନ୍ଦ୍ରିୟମାନଙ୍କୁ ଦମନ କରିପାରନ୍ତି, କିନ୍ତୁ ଏପରି ଦମନ କ୍ଷଣସ୍ଥାୟୀ । କାରଣ ଏହା କାମନାର ଅଗ୍ନିଶିଖା ନିର୍ବାପିତ କରି ପାରେନାହିଁ । କିନ୍ତୁ ଆତ୍ମା ଯେତେବେଳେ ପରମାତ୍ମାଙ୍କ ଭକ୍ତିରେ ନିମଗ୍ନ ହୋଇ ଦିବ୍ୟାନନ୍ଦର ଆସ୍ୱାଦନ କରେ, ସେ ଉଚ୍ଚତର ସ୍ତରର ଅନୁଭୂତି ପାଏ ଯାହା ପାଇଁ ସେ ଅନନ୍ତ ଜନ୍ମ ଧରି ଚେଷ୍ଟାରତ ଥିଲା । ତୈତ୍ରିୟ ଉପନିଷଦ କହେ:

   ରସୋ ବୈ ସଃ ରସଂ ହ୍ୟେବାୟଂ ଲବ୍‌ଧ୍ୱାଽନନ୍ଦୀ ଭବତି । (୨.୭.୨)

ଭଗବାନ ପରିପୂର୍ଣ୍ଣ ଆନନ୍ଦ ଅଟନ୍ତି । ଆତ୍ମା ଯେତେବେଳେ ଭଗବତ୍‌ପ୍ରାପ୍ତି କରେ, ସେ ଆନନ୍ଦରେ ପରିତୃପ୍ତ ହୋଇଯାଏ । ସେତେବେଳେ ବ୍ୟକ୍ତିର ସ୍ୱାଭାବିକ ଭାବେ ନିମ୍ନସ୍ତରର ଇନ୍ଦ୍ରିୟ ସୁଖ ପ୍ରତି ବିମୁଖତା ପ୍ରକାଶ ପାଏ । ଏହି ବୈରାଗ୍ୟ ଯାହା ଭକ୍ତିରୁ ଉତ୍ପନ୍ନ ହୁଏ, ତାହା ଦୃଢ଼ ଓ ଅବିଚଳିତ ହୋଇଥାଏ ।

ଅତଏବ, ଭଗବଦ୍ ଗୀତା ଶୁଷ୍କ ଇନ୍ଦ୍ରିୟ ଦମନର ଶିକ୍ଷା ଦିଏନାହିଁ, ବରଂ ଏହା ଉର୍ଦ୍ଧ୍ୱୀକରଣ ପ୍ରକ୍ରିୟାରେ କାମନାଗୁଡ଼ିକୁ ଭଗବତ୍ ଅଭିମୁଖୀ କରାଇବାର ଏକ ସୁନ୍ଦର ମାର୍ଗ ପ୍ରଶସ୍ଥ କରାଇଥାଏ । ସନ୍ଥ ରାମକୃଷ୍ଣ ପରମହଂସ ଏହି ସିଦ୍ଧାନ୍ତକୁ ଅତି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିବାକୁ ଯାଇ କହନ୍ତି: ଭକ୍ତି ଉଚ୍ଚତମଙ୍କ ପ୍ରତି ପ୍ରେମ ଅଟେ; ଏବଂ ନିମ୍ନତମଙ୍କ ପ୍ରତି ଆସକ୍ତି ସ୍ୱତଃ ଦୂର ହୋଇଯିବ ।

Watch Swamiji Explain This Verse