Bhagavad Gita: Chapter 2, Verse 18

ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ ।
ଅନାଶିନୋଽପ୍ରମେୟସ୍ୟ ତସ୍ମାଦ୍ୟୁଧ୍ୟସ୍ୱ ଭାରତ ।।୧୮।।

ଅନ୍ତବନ୍ତଃ- ବିନାଶଶୀଳ; ଇମେ-ଏହିସବୁ; ଦେହାଃ-ଭୌତିକ ଶରୀର; ନିତ୍ୟସ୍ୟ- ନିତ୍ୟ; ଉକ୍ତାଃ-କଥିତ ଅଛି; ଶରୀରିଣଃ-ଦେହଧାରୀ ଆତ୍ମା; ଅନାଶିନଃ-କଦାପି ନଷ୍ଟ ହେବ ନାହିଁ; ଅପ୍ରମେୟସ୍ୟ-ଅକଳନୀୟ; ତସ୍ମାତ୍‌-ତେଣୁ; ଯୁଧ୍ୟସ୍ୱ- ଯୁଦ୍ଧ କର; ଭାରତ- ହେ ଭରତ ବଂଶଜ !

Translation

BG 2.18: କେବଳ ଭୌତିକ ଶରୀର ବିନାଶଶୀଳ ଅଟେ; ଏହା ମଧ୍ୟରେ ସ୍ଥିତ ଆତ୍ମା ଅବିନାଶୀ, ଅମାପ ଏବଂ ସନାତନ ଅଟେ । ତେଣୁ ହେ ଭରତ ବଂଶଜ ଯୁଦ୍ଧକର ।

Commentary

ବାସ୍ତବରେ ସ୍ଥୁଳ ଶରୀର ମାଟିରେ ଗଢ଼ା । ଏହି ମାଟି ହିଁ ପରିବା, ଫଳ ଶସ୍ୟ, ଡାଲି ଓ ଘାସରେ ପରିଣତ ହୁଏ । ଗାଈ ସେହି ଘାସ ଖାଇ କ୍ଷୀର ଦେଇଥାଏ । ଆମେ ମନୁଷ୍ୟମାନେ ଏହିସବୁ ଖାଦ୍ୟ ଖାଇ ଥାଉ ଯାହା ଆମ ଶରୀର ଗଠନ କରେ । ତେଣୁ ଏହା କହିବା ଅତ୍ୟୁକ୍ତି ହେବ ନାହିଁ ଯେ ଶରୀର ମାଟିରେ ଗଢ଼ା ହୋଇଛି ।

ମୃତ୍ୟୁ ସମୟରେ ଯେତେବେଳେ ଆତ୍ମା ଶରୀର ଛାଡ଼ି ଚାଲିଯାଏ, ଶରୀରର ତିନି ପ୍ରକାର ଗତି ହୋଇପାରେ: କୃମି, ବିଡ୍ ବା ଭସ୍ମ । ଏହାକୁ ଜଳାଇ ଦିଆଯାଇପାରେ, ଯଦ୍ୱାରା ଏହା ଭସ୍ମରେ ପରିଣତ ହୋଇ ମାଟି ହୋଇଯାଏ । କିମ୍ବା ଏହାକୁ ପୋତି ଦିଆଯାଏ ଯେଉଁଠି ପୋକ ଇତ୍ୟାଦି ତାହାକୁ ଭକ୍ଷଣ କରି ମାଟିରେ ପରିଣତ କରିଦିଅନ୍ତି । ନଚେତ୍ ଏହାକୁ ପାଣିରେ ଫିଙ୍ଗିଦିଆଯାଏ, ଯେଉଁଠି ଜଳଚର ପ୍ରାଣୀ ସବୁ ଏହାକୁ ଭକ୍ଷଣ କରି ମଳ ରୂପରେ ତ୍ୟାଗ କରନ୍ତି, ଯାହା ଶେଷରେ ନଦୀ ଶଯ୍ୟାର ମାଟିରେ ମିଶିଯାଏ ।

ଏହିପରି ଭାବରେ, ସଂସାରରେ ମୃତ୍ତିକା ଏକ ଆଶ୍ମର୍ଯ୍ୟଜନକ ଚକ୍ର ଦେଇ ଗତି କରିଥାଏ । ଏହା ଖାଦ୍ୟରେ ପରିଣତ ହୁଏ । ଏହି ଖାଦ୍ୟରୁ ଶରୀର ଗଠନ ହୁଏ, ଏବଂ ଶରୀର ପୁଣି ମୃତ୍ୟୁ ପରେ ମୃତ୍ତିକାକୁ ଫେରିଆସେ । ବାଇବେଲ କହେ: “ତୁମେ ଧୂଳିରେ ତିଆରି ଏବଂ ଧୂଳିକୁ ତୁମେ ଫେରିଯିବ ।” (ଜେନେସିସ୍ ୩:୧୯) । ଏହି ପଦଟି ସ୍ଥୁଳ ଶରୀରକୁ ଈଶାରା କରିଥାଏ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, “ଏହି ଭୌତିକ ଶରୀର ମଧ୍ୟରେ ଏକ ନିତ୍ୟ ଅବିନାଶୀ ତତ୍ତ୍ୱ ରହିଛି, ଯାହା ମୃତ୍ତିକାରେ ଗଢ଼ା ନୁହେଁ । ଏହା ହିଁ ଦିବ୍ୟ ଆତ୍ମା ଓ ବାସ୍ତବ ମୁଁ ଅଟେ ।”

Watch Swamiji Explain This Verse