Bhagavad Gita: Chapter 18, Verse 37

ଯତ୍ତଦଗ୍ରେ ବିଷମିବ ପରିଣାମେଽମୃତୋପମମ୍ ।
ତତ୍ସୁଖଂ ସାତ୍ତ୍ୱିକଂ ପ୍ରୋକ୍ତମାତ୍ମବୁଦ୍ଧିପ୍ରସାଦଜମ୍ ।।୩୭।।

ଯତ୍‌-ଯାହା; ତତ୍‌-ତାହା; ଅଗ୍ରେ-ଆରମ୍ଭରେ; ବିଷମ୍ ଇବ-ବିଷ ପରି; ପରିଣାମେ-ଶେଷରେ; ଅମୃତ-ଉପମମ୍ -ଅମୃତ ସଦୃଶ; ତତ୍‌-ସେହି; ସୁଖଂ-ସୁଖ; ସାତ୍ତ୍ୱିକଂ-ସାତ୍ତ୍ୱିକ; ପ୍ରୋକ୍ତଂ-କୁହାଯାଏ; ଆତ୍ମ-ବୁଦ୍ଧି -ଆତ୍ମଜ୍ଞାନରେ ସ୍ଥିତ; ପ୍ରସାଦଜମ୍‌- ଶୁଦ୍ଧ ବୁଦ୍ଧିରେ ଉତ୍ପନ୍ନ ।

Translation

BG 18.37: ପ୍ରାରମ୍ଭରେ ଯାହା ବିଷତୁଲ୍ୟ ପ୍ରତୀତ ହୋଇଥାଏ, କିନ୍ତୁ ଶେଷରେ ଏହାର ସ୍ୱାଦ ଅମୃତ ତୁଲ୍ୟ ହୋଇଥାଏ, ସେହି ଆନନ୍ଦକୁ ସାତ୍ତ୍ୱିକ ଗୁଣଯୁକ୍ତ କୁହାଯାଇଥାଏ । ଏହା ଆତ୍ମଜ୍ଞାନରେ ସ୍ଥିତ ବିଶୁଦ୍ଧ ବୁଦ୍ଧି ଦ୍ୱାରା ଉତ୍ପନ୍ନ ହୋଇଥାଏ ।

Commentary

ଭାରତର ଅଁଳା କୋଳି ଏକ ପ୍ରକାରର ସୁଖାଦ୍ୟ ଅଟେ, ଯାହା ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ ହିତକାରୀ । ଏଥିରେ ଦଶଗୋଟି କମଳା ଠାରୁ ଅଧିକ ଭିଟାମିନ୍ ସି ଥାଏ, କିନ୍ତୁ ଏହାର ସ୍ୱାଦ କଷା ହୋଇଥିବାରୁ ପିଲାମାନେ ଏହାକୁ ପସନ୍ଦ କରନ୍ତି ନାହିଁ । ଉତ୍ତର ଭାରତରେ ଅଭିଭାବକମାନେ ତାଙ୍କ ପିଲାମାନଙ୍କୁ ଅଁଳା ଖାଇବାକୁ ଉତ୍ସାହିତ କରିବାକୁ ଯାଇ ଏପରି କହିଥାନ୍ତି: ଅମଲେ କା ଖାୟା ଔର ବଡ଼ୋଁ କା କହା, ବାଦ ମେ ପତା ଚଲତା ହୈ । “ଅଁଳା ଖାଇବା ଓ ଗୁରୁଜନଙ୍କ ଉପଦେଶ ମାନିବା, ଏହାର ଲାଭ ଭବିଷ୍ୟତରେ ହିଁ ଜଣା ପଡ଼ିଥାଏ ।” ବାସ୍ତବରେ, ଅଁଳା ଖାଇବାର ଅଳ୍ପ ସମୟ ପରେ ହିଁ କଷାର ସ୍ୱାଦ ଚାଲିଯାଏ ଏବଂ ତାହା ମିଠା ଲାଗେ । ତାଛଡା, ପ୍ରାକୃତିକ ଭିଟାମିନ୍ ସି ଖାଇବାର ଦୀର୍ଘକାଳୀନ ଲାଭ ତ ନିଃସନ୍ଦେହ ଭାବରେ ଅନେକ ଅଛି । ଉପରୋକ୍ତ ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ସାତ୍ତ୍ୱିକ ଆନନ୍ଦ ମଧ୍ୟ ଠିକ୍ ସେହିପରି ଅଟେ । ସ୍ୱଳ୍ପ କାଳ କଟୁବୋଧ ହେଉଥିଲେ ମଧ୍ୟ, ଶେଷରେ ଏହାର ସ୍ୱାଦ ଅମୃତତୁଲ୍ୟ ହୋଇଥାଏ ।

ବେଦ ସାତ୍ତ୍ୱିକ ସୁଖକୁ ଶ୍ରେୟ ରୂପେ ଅଭିହିତ କରିଥାଏ, ଯାହା ବର୍ତ୍ତମାନ ଅପ୍ରୀତିକର କିନ୍ତୁ ଅନ୍ତତଃ ଲାଭଦାୟୀ ଅଟେ । ଏହାର ବିପରୀତ ପ୍ରେୟ, ଯାହା ଆରମ୍ଭରେ ସୁଖକର କିନ୍ତୁ ଅନ୍ତିମ ପରିଣତି ହାନିକାରକ ହୋଇଥାଏ । ଶ୍ରେୟ ଏବଂ ପ୍ରେୟ ସମ୍ବନ୍ଧରେ କଠୋପନିଷଦ କହେ:

ଅନ୍ୟଚ୍ଛ୍ରେୟୋଽନ୍ୟଦୁତୈବ ପ୍ରେୟସ୍ତେ ଉଭେ ନାନାର୍ଥେ ପୁରୁଷଂ ସିନୀତଃ
ତୟୋଃ ଶ୍ରେୟ ଆଦଦାନସ୍ୟ ସାଧୁ ଭବତି ହୀତୟେଽର୍ଥାଦ୍ୟ ଉ ପ୍ରେୟୋ ବୃଣୀତେ
ଶ୍ରେୟଶ୍ଚ ପ୍ରେୟଶ୍ଚ ମନୁଷ୍ୟମେତସ୍ତୌ ସମ୍ପରୀତ୍ୟ ବିବିନକ୍ତି ଧୀରଃ
ଶ୍ରେୟୋ ହି ଧୀରୋଽଭି ପ୍ରେୟସୋ ବୃଣୀତେ ପ୍ରେୟୋ ମନ୍ଦୋ ଯୋଗକ୍ଷେମାଦ୍ ବୃଣୀତେ । (୧.୨.୧-୨)

“ଦୁଇଟି ମାର୍ଗ ଅଛି- ଗୋଟିଏ ‘କଲ୍ୟାଣକାରୀ’ ଅନ୍ୟଟି ‘ସୁଖଦାୟକ’ । ଏହି ଦୁଇଟି ମାର୍ଗ ମନୁଷ୍ୟକୁ ସମ୍ପୂର୍ଣ୍ଣ ଭିନ୍ନ ସ୍ଥଳରେ ପହଞ୍ଚାଇ ଥାଆନ୍ତି । ସୁଖଦାୟକ ମାର୍ଗଟି ପ୍ରାରମ୍ଭରେ ଉପଭୋଗ୍ୟ ହୋଇଥାଏ କିନ୍ତୁ ଅନ୍ତ କଷ୍ଟରେ ହୁଏ । ଅଜ୍ଞ ବ୍ୟକ୍ତିମାନେ ଏହି ସୁଖର ଫାଶରେ ବାନ୍ଧି ହୋଇ ବରବାଦ ହୋଇଯାଆନ୍ତି । କିନ୍ତୁ ବିଜ୍ଞ ବ୍ୟକ୍ତିମାନେ ଏହି ଆକର୍ଷଣ ଦ୍ୱାରା ମୋହିତ ନ ହୋଇ କଲ୍ୟାଣର ମାର୍ଗ ବାଛିଥାନ୍ତି ଏବଂ ଶେଷରେ ଆନନ୍ଦ ପ୍ରାପ୍ତ କରିଥାନ୍ତି ।