Bhagavad Gita: Chapter 18, Verse 49

ଅସକ୍ତବୁଦ୍ଧିଃ ସର୍ବତ୍ର ଜିତାତ୍ମା ବିଗତସ୍ପୃହଃ ।
ନୈଷ୍କର୍ମ୍ୟସିଦ୍ଧିଂ ପରମାଂ ସନ୍ନ୍ୟାସେନାଧିଗଚ୍ଛତି ।।୪୯।।

ଅସକ୍ତ-ବୁଦ୍ଧିଃ- ଅନାସକ୍ତ ବୁଦ୍ଧି; ସର୍ବତ୍ର-ସବୁଠାରେ; ଜିତ-ଆତ୍ମା- ଯିଏ ମନକୁ ବଶ କରିଥାଏ; ବିଗତସ୍କୃହଃ- ଭୌତିକ କାମନାରହିତ; ନୈଷ୍କର୍ମ୍ୟ ସିଦ୍ଧିଂ- ଅକର୍ମ ଅବସ୍ଥା; ପରମାଂ- ପରମ; ସନ୍ୟାସେନ-ସନ୍ୟାସାଶ୍ରମ ଦ୍ୱାରା; ଅଧିଗଚ୍ଛତି-ପ୍ରାପ୍ତ ହୁଏ ।

Translation

BG 18.49: ଯେଉଁମାନଙ୍କର ବୁଦ୍ଧି ପୂର୍ଣ୍ଣତଃ ନିର୍ଲିପ୍ତ, ଯେଉଁମାନେ ମନକୁ ବଶ କରିଥାନ୍ତି ଏବଂ ବୈରାଗ୍ୟର ଅଭ୍ୟାସ ଦ୍ୱାରା କାମନାମୁକ୍ତ ହୋଇଥାନ୍ତି ସେମାନେ କର୍ମରୁ ମୁକ୍ତ ହୋଇ ସର୍ବୋଚ୍ଚ ସିଦ୍ଧି ପ୍ରାପ୍ତ କରନ୍ତି ।

Commentary

ଏହି ଶେଷ ଅଧ୍ୟାୟରେ, ଶ୍ରୀକୃଷ୍ଣ ଅନେକ ସିଦ୍ଧାନ୍ତର ପୁନରାବୃତ୍ତି କରିଛନ୍ତି ଯାହା ପୂର୍ବରୁ ବର୍ଣ୍ଣିତ ହୋଇସାରିଛି । ଅଧ୍ୟାୟର ପ୍ରାରମ୍ଭରେ ସେ ଅର୍ଜୁନଙ୍କୁ ବୁଝାଇଛନ୍ତି, ଜୀବନରେ ନିଜ ଦାୟୀତ୍ୱରୁ ଓହରି ଯିବା ସନ୍ୟାସ ନୁହେଁ, କିମ୍ବା ଏହା ତ୍ୟାଗ ନୁହେଁ । ସେ ବର୍ତ୍ତମାନ ଅକର୍ମ ଅବସ୍ଥା ବା ନୈଷ୍କର୍ମ୍ୟ-ସିଦ୍ଧି  ବିଷୟରେ ବର୍ଣ୍ଣନା କରୁଛନ୍ତି । କେବଳ ଆମର କର୍ତ୍ତବ୍ୟ ଉପରେ ଦୃଷ୍ଟିନିବେଶ କରି, ଘଟଣା ଓ ତାର ଫଳାଫଳଠାରୁ ନିଜକୁ ଦୂରରେ ରଖି, ସଂସାର ପ୍ରବାହ ମଧ୍ୟରେ ଥାଇ ସୁଦ୍ଧା ଆମେ ଏହି ସ୍ଥିତିରେ ପହଞ୍ଚି ପାରିବା । ଏହା ପୋଲ ତଳେ ଜଳ ଗୋଟିଏ ପାଶ୍ୱର୍ରୁ ପ୍ରବେଶ କରି ଅନ୍ୟପାଶ୍ୱର୍ରେ ବାହାରି ଯିବା ସଦୃଶ ଅଟେ । ପୋଲ ଜଳକୁ ଗ୍ରହଣ କରେନାହିଁ କିମ୍ବା ଜଳର ବଣ୍ଟନ କରେନାହିଁ, ଏହା ଜଳପ୍ରବାହର ପ୍ରଭାବରୁ ମୁକ୍ତ ରହେ । ସେହିପରି କର୍ମଯୋଗୀମାନେ ତାଙ୍କର କର୍ମ କରିଥାନ୍ତି, କିନ୍ତୁ ମନକୁ ଘଟଣା ପ୍ରବାହଠାରୁ ମୁକ୍ତ ରଖିଥାନ୍ତି । ଭଗବାନଙ୍କର ଉପାସନା ଭାବରେ, ସେମାନେ ତାଙ୍କ କର୍ତ୍ତବ୍ୟ ପାଳନର ପୂର୍ଣ୍ଣ ଉଦ୍ୟମରେ ଅବହେଳା କରନ୍ତି ନାହିଁ । ସେମାନେ କର୍ମର ଫଳାଫଳକୁ ଭଗବାନଙ୍କ ହସ୍ତରେ ନ୍ୟସ୍ତ କରନ୍ତି ଏବଂ ଏହିପରି ଭାବରେ ଯାହା ଘଟିଲେ ମଧ୍ୟ ସନ୍ତୁଷ୍ଟ ଏବଂ ଅବିଚଳିତ ରହନ୍ତି ।

ଗୋଟିଏ ଛୋଟ କାହାଣୀ ସାହାଯ୍ୟରେ ଏହାକୁ ଅଧିକ ସ୍ପଷ୍ଟ କରାଯାଇ ପାରେ । ଜଣେ ବ୍ୟକ୍ତିଙ୍କର ଦୁଇଟି କନ୍ୟା ଥିଲେ । ପ୍ରଥମଟି ଜଣେ କୃଷକଙ୍କୁ ଏବଂ ଦ୍ୱିତୀୟଟି ଜଣେ ଇଟାଭାଟି ମାଲିକଙ୍କୁ ବିବାହ କଲେ । ଦିନେ ପିତା ତାଙ୍କର ପ୍ରଥମ କନ୍ୟାକୁ ଫୋନ କରି ଶୁଭାଶୁଭ ଜିଜ୍ଞାସା କଲେ । କନ୍ୟାଜଣକ ଉତ୍ତର ଦେଲେ “ବାପା, ଆମେ ଆର୍ଥିକ କଷ୍ଟ ଭୋଗ କରୁଛୁ । ଦୟାକରି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଯେପରି ଆସନ୍ତା ମାସଗୁଡ଼ିକରେ ପର୍ଯ୍ୟାପ୍ତ ବୃଷ୍ଟି ହେବ ।” ସେ ତା’ପରେ ଦ୍ୱିତୀୟ ଝିଅଟିକୁ ଫୋନ କଲେ ଏବଂ ସେ ବାପାଙ୍କୁ ଅନୁରୋଧ କଲା, “ବାପା, ଆମେ ଆର୍ଥିକ ଦୃଷ୍ଟିରୁ ଅଭାବଗ୍ରସ୍ତ । ଦୟାକରି ଭଗବାନଙ୍କୁ ଅନୁରୋଧ କରନ୍ତୁ ଏ ବର୍ଷ ବୃଷ୍ଟି କରନ୍ତୁ ନାହିଁ, ଯେପରି ଯଥେଷ୍ଟ ଖରା ପଡ଼ିବ ଏବଂ ଅଧିକ ଇଟା ତିଆରି ହୋଇପାରିବ ।” ପିତା ଜଣକ ଉଭୟ କନ୍ୟାଙ୍କ ଠାରୁ ବିପରୀତ ଅନୁରୋଧ ଶୁଣିଲେ ଏବଂ ଚିନ୍ତାକଲେ, “ଭଗବାନ ହିଁ ଜାଣନ୍ତି କ’ଣ ଭଲ ଅଟେ ।  ତାଙ୍କୁ ଯାହା ଭଲ ଲାଗୁଛି ସେ କରନ୍ତୁ ।” ଏହିପରି ଭଗବାନଙ୍କ ଇଚ୍ଛାକୁ ଗ୍ରହଣ କରିବା ଦ୍ୱାରା ସାଂସାରିକ ଘଟଣାର ନିରବଚ୍ଛିନ୍ନ ସ୍ରୋତରେ ବୁଡ଼ି ରହି ସୁଦ୍ଧା, ବ୍ୟକ୍ତି କର୍ମଫଳ ପ୍ରତି ଅନାସକ୍ତ ରହିଥାଏ ।