Bhagavad Gita: Chapter 18, Verse 18

ଜ୍ଞାନଂ ଜେ୍ଞୟଂ ପରିଜ୍ଞାତା ତ୍ରିବିଧା କର୍ମଚୋଦନା ।
କରଣଂ କର୍ମ କର୍ତେତି ତ୍ରିବିଧଃ କର୍ମସଂଗ୍ରହଃ ।।୧୮।।

ଜ୍ଞାନଂ-ଜ୍ଞାନ; ଜେ୍ଞୟଂ- ଜ୍ଞାନଦ୍ୱାରା ଲବ୍ଧ ବିଷୟ; ପରିଜ୍ଞାତା-ଜ୍ଞାତା (ଜ୍ଞାନୀ); ତ୍ରିବିଧା- ତିନିପ୍ରକାର; କର୍ମ-ଚୋଦନା -କର୍ମର କାରକ; କରଣଂ-କର୍ମର ଉପକରଣ; କର୍ମ-କର୍ମ; କର୍ତା-କର୍ତ୍ତା; ଇତି-ଏହିପରି; ତ୍ରିବିଧଃ-ତିନିପ୍ରକାର; କର୍ମ-ସଂଗ୍ରହଃ -କର୍ମର ଉପାଦାନ ।

Translation

BG 18.18: ଜ୍ଞାନ, ଜେ୍ଞୟ ଏବଂ ଜ୍ଞାତା- ଏହି ତିନୋଟି କାରକ କର୍ମକୁ ପ୍ରେରିତ କରନ୍ତି । କର୍ମର ସାଧନ, ସ୍ୱୟଂ କର୍ମ ଏବଂ କର୍ତ୍ତା- ଏହି ତିନୋଟି କର୍ମର ଉପାଦାନ ଅଟେ ।

Commentary

କର୍ମ ବିଜ୍ଞାନର ପ୍ରଣାଳୀବଦ୍ଧ ବିଶ୍ଳେଷଣ ଦ୍ୱାରା, ଶ୍ରୀକୃଷ୍ଣ ତାହାର ଅଙ୍ଗ ବିଷୟରେ ଆଲୋକପାତ କରିଥିଲେ । ସେ କର୍ମର କର୍ମ-ପ୍ରତିକ୍ରିୟା ଏବଂ ସେଥିରୁ ମୁକ୍ତ ହେବାର ଉପାୟ ମଧ୍ୟ ବର୍ଣ୍ଣନା କରିଥିଲେ । ବର୍ତ୍ତମାନ ସେ କର୍ମକୁ ପ୍ରେରିତ କରୁଥିବା ତ୍ରିବିଧ କାରକ ବିଷୟରେ ଆଲୋଚନା କରୁଛନ୍ତି । ସେଗୁଡ଼ିକ ହେଲା ଜ୍ଞାନ, ଜେ୍ଞୟ (ଜାଣିବା ବସ୍ତୁ) ଏବଂ ଜ୍ଞାତା । ଏହି ତିନିଗୋଟିକୁ ଏକତ୍ର ଭାବେ ଜ୍ଞାନ ତ୍ରିପୁଟୀ (ଜ୍ଞାନ ତ୍ରୟ) କୁହାଯାଏ ।

କର୍ମର ପ୍ରାଥମିକ ପ୍ରେରଣା ହେଉଛି “ଜ୍ଞାନ”; ଏହା “ଜ୍ଞାତା” ଏବଂ “ଜେ୍ଞୟ” ସମ୍ବନ୍ଧରେ ବୋଧ କରାଇଥାଏ । ଏହି ତ୍ରୟ ଏକତ୍ର ଭାବରେ କର୍ମକୁ ପ୍ରେରିତ କରନ୍ତି । ଉଦାହରଣ ସ୍ୱରୂପ, ମାଲିକ ଦ୍ୱାରା ଦିଆଯାଉଥିବା ପାରିଶ୍ରମିକ ବିଷୟରେ ଜ୍ଞାନ, ଶ୍ରମିକମାନଙ୍କୁ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥାଏ । ପୃଥିବୀର ବିଭିନ୍ନ ପ୍ରାନ୍ତରେ ଆବିଷ୍କାରର ସୂଚନା ‘ସୁବର୍ଣ୍ଣ ଦୌଡ଼’ ସୃଷ୍ଟି କରିଥିଲା ଏବଂ ଶ୍ରମିକମାନଙ୍କୁ ବ୍ୟଗ୍ର ଭାବରେ ଦେଶାନ୍ତରିତ କରିଥିଲା । ଅଲିମ୍ପିକ୍ ଖେଳରେ ପଦକ ହାସଲ କରିବାର ମହତ୍ତ୍ୱ ବିଷୟରେ ଜ୍ଞାନ, କ୍ରୀଡ଼ାବିତ୍‌ମାନଙ୍କୁ ବର୍ଷ ବର୍ଷ ଧରି ଅଭ୍ୟାସ କରିବାକୁ ପ୍ରୋତ୍ସାହିତ କରେ । କର୍ମର ଗୁଣବତ୍ତା ସହିତ ମଧ୍ୟ ଜ୍ଞାନର ସମ୍ପର୍କ ରହିଛି । ଦୃଷ୍ଟାନ୍ତ ସ୍ୱରୂପ, ଏକ ଶୀର୍ଷତମ ବିଶ୍ୱବିଦ୍ୟାଳୟର ପ୍ରମାଣପତ୍ର, କର୍ମ ନିଯୁକ୍ତି କ୍ଷେତ୍ରରେ ମୂଲ୍ୟବାନ ସିଦ୍ଧ ହୋଇଥାଏ । ବ୍ୟବସାୟିକ ପ୍ରତିଷ୍ଠାନମାନେ ଏହା ଅନୁଭବ କରନ୍ତି ଯେ ଜ୍ଞାନରେ ଯେଉଁମାନେ ଅଧିକ ଗୁଣୀ, ସେମାନଙ୍କ କର୍ମ ଦକ୍ଷତାର ସ୍ତର ଅଧିକ ଉନ୍ନତ ହୋଇଥାଏ । ସେଥିପାଇଁ ସେମାନେ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ତାଲିମ ଦେବା ପାଇଁ, ବିଭିନ୍ନ ଦକ୍ଷତା ବୃଦ୍ଧି କର୍ମଶାଳା ଆଦିକୁ ପଠାଇବାରେ ଅର୍ଥବ୍ୟୟ କରିଥାନ୍ତି ।

ଦ୍ୱିତୀୟ ସମୁହର ନାମ କର୍ମ ତ୍ରିପୁଟୀ (କର୍ମତ୍ରୟ) । ଏହାର ଅନ୍ତର୍ଭୁକ୍ତ କର୍ତ୍ତା, କାରଣ (କର୍ମର ସାଧନ) ଏବଂ କର୍ମ (ସ୍ୱୟଂ କର୍ମ) ଅଟନ୍ତି । ଏହି କର୍ମତ୍ରୟ ଏକତ୍ରିତ ଭାବରେ କର୍ମର ବିଷୟ ଗଠନ କରିଥାନ୍ତି । “କର୍ତ୍ତା” “କର୍ମ” କରିବା ପାଇଁ “କର୍ମର ସାଧନ” ବ୍ୟବହାର କରିଥାଏ । କର୍ମର ବିଭିନ୍ନ ଉପାଦାନ ବିଶ୍ଳେଷଣ କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ କର୍ମର ଉଦ୍ଦେଶ୍ୟ ଏବଂ ସ୍ୱରୂପକୁ ନେଇ ଲୋକଙ୍କ ମଧ୍ୟରେ ପାର୍ଥକ୍ୟ କାହିଁକି ଦୃଷ୍ଟିଗୋଚର ହୋଇଥାଏ ତାହା ବର୍ଣ୍ଣନା କରିବାକୁ ଯାଇ, ସେଗୁଡ଼ିକୁ ଭୌତିକ ପ୍ରକୃତିର ତିନିଗୁଣ ସହିତ ସମ୍ବନ୍ଧିତ କରୁଛନ୍ତି ।