Bhagavad Gita: Chapter 18, Verse 42

ଶମୋ ଦମସ୍ତପଃ ଶୌଚଂ କ୍ଷାନ୍ତିରାର୍ଜବମେବ ଚ ।
ଜ୍ଞାନଂ ବିଜ୍ଞାନମାସ୍ତିକ୍ୟଂ ବ୍ରହ୍ମକର୍ମ ସ୍ୱଭାବଜମ୍ ।।୪୨।।

ଶମଃ- ଶାନ୍ତଭାବ; ଦମଃ-ସଂଯମ; ତପଃ-ତପସ୍ୟା; ଶୌଚଂ-ଶୁଚି (ପବିତ୍ରତା); କ୍ଷାନ୍ତିଃ-ସହିଷ୍ଣୁତା; ଆର୍ଜବମ୍‌- ସତ୍ୟନିଷ୍ଠା; ଏବ-ନିଶ୍ଚିତଭାବେ; ଚ-ଏବଂ; ଜ୍ଞାନଂ-ଜ୍ଞାନ; ବିଜ୍ଞାନଂ-ବିଜ୍ଞାନ; ଆସ୍ତିକ୍ୟଂ-ପର ଜନ୍ମରେ ବିଶ୍ୱାସ; ବ୍ରହ୍ମ-ବ୍ରାହ୍ମଣର; କର୍ମ- କର୍ତ୍ତବ୍ୟ; ସ୍ୱଭାବଜମ୍‌-ସ୍ୱଭାବଜାତ ଗୁଣ ।

Translation

BG 18.42: ଶାନ୍ତ, ସଂଯମ, ତପସ୍ୟା, ପବିତ୍ରତା, ଧୈର୍ଯ୍ୟ, ସାଧୁତା, ଜ୍ଞାନ, ପ୍ରଜ୍ଞା ଏବଂ ପରଜନ୍ମରେ ବିଶ୍ୱାସ- ଏହିସବୁ ବ୍ରାହ୍ମଣମାନଙ୍କ କର୍ମର ଅନ୍ତର୍ନିହିତ ଗୁଣ ଅଟେ ।

Commentary

ସତ୍ତ୍ୱଗୁଣ ପ୍ରଧାନ ବ୍ୟକ୍ତି ବ୍ରାହ୍ମଣ ଥିଲେ । ସଂଯମ ଆଚରଣ କରିବା, ମନ ଶୁଦ୍ଧିକରଣର ଅଭ୍ୟାସ କରିବା, ଭକ୍ତି କରିବା ଏବଂ ନିଜ ଆଦର୍ଶରେ  ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା, ବ୍ରାହ୍ମଣମାନଙ୍କର ପ୍ରାଥମିକ କର୍ତ୍ତବ୍ୟ ଥିଲା । ସ୍ୱଭାବତଃ ସେମାନେ ସହନଶୀଳ, ନମ୍ର ଏବଂ ଆଧ୍ୟାତ୍ମିକ ମନୋଭାବର ଥିଲେ । ବୈଦିକ ରୀତିନୀତିର ଅନୁଷ୍ଠାନ ସେମାନେ ନିଜେ କରିବା ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ କରୁଥିଲେ । ସେମାନଙ୍କର ସ୍ୱଭାବ ସେମାନଙ୍କୁ ଜ୍ଞାନ ପ୍ରତି ଆକୃଷ୍ଟ କରୁôଥଲା । ତେଣୁ ବୃତ୍ତି ଭାବରେ ଶିକ୍ଷକତା - ଜ୍ଞାନ ଆହରଣ ଏବଂ ଜ୍ଞାନ ପ୍ରଦାନ - ସେମାନଙ୍କ ପାଇଁ ଉପଯୁକ୍ତ ଥିଲା । ଯଦିଓ ସେମାନେ ପ୍ରତ୍ୟକ୍ଷ ଭାବରେ ରାଜ୍ୟ ଶାସନରେ ଅଂଶ ଗ୍ରହଣ କରୁ ନ ଥିଲେ, ତଥାପି ସେମାନେ ଅଧିକାରୀ ମାନଙ୍କର ମାର୍ଗଦର୍ଶନ କରୁଥିଲେ । ସେମାନଙ୍କର ଶାସ୍ତ୍ରଜ୍ଞାନ ଥିବାରୁ, ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ସେମାନଙ୍କର ମତ ମୂଲ୍ୟବାନ ଥିଲା ।