Bhagavad Gita: Chapter 18, Verse 6

ଏତାନ୍ୟପି ତୁ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା ଫଳାନି ଚ ।
କର୍ତବ୍ୟାନୀତି ମେ ପାର୍ଥ ନିଶ୍ଚିତଂ ମତମୁତ୍ତମମ୍ ।।୬।।

ଏତାନି -ଏସବୁ; ଅପି ତୁ -ନିଶ୍ଚିତଭାବେ; କର୍ମାଣି -କର୍ମସବୁ; ସଙ୍ଗଂ-ଆସକ୍ତି; ତ୍ୟକ୍ତ୍ୱା-ତ୍ୟାଗ କରି; ଫଳାନି-ଫଳସବୁ; ଚ-ଏବଂ; କର୍ତ୍ତବ୍ୟାନି-କର୍ତ୍ତବ୍ୟ ଭାବରେ; ଇତି-ଏହିପରି; ମେ-ମୋର; ପାର୍ଥ- ହେ ପୃଥାପୁତ୍ର; ନିଶ୍ଚିତଂ-ନିଶ୍ଚିତ; ମତଂ-ମତ; ଉତ୍ତମମ୍‌-ଉତ୍ତମ ।

Translation

BG 18.6: ଏହିସବୁ କର୍ମ ଆସକ୍ତିରହିତ ହୋଇ ଏବଂ ଫଳ ପ୍ରତି ଆଶା ନ ରଖି କରାଯିବା ଉଚିତ । ହେ ଅର୍ଜୁନ ! ଏହା ମୋର ସ୍ପଷ୍ଟ ଏବଂ ଚରମ ମତ ଅଟେ ।

Commentary

ଯଜ୍ଞ, ଦାନ ଏବଂ ତପସ୍ୟା; ଭଗବାନଙ୍କ ପ୍ରତି ଭକ୍ତି ଭାବନାରେ କରାଯିବା ଉଚିତ । ଏହି ଚେତନାରେ ଉପନୀତ ହୋଇ ନ ଥିଲେ, ଏହାକୁ ଏକ କର୍ତ୍ତବ୍ୟ ଭାବରେ ପ୍ରତିଫଳର ଆଶା ନ ରଖି କରାଯିବା ଉଚିତ । ଜଣେ ମା’ ତା’ର ସନ୍ତାନ ପ୍ରତି କର୍ତ୍ତବ୍ୟ କରିବାକୁ ଯାଇ ନିଜସ୍ୱ ଆନନ୍ଦ ତ୍ୟାଗ କରିଥାଏ । ଛୁଆଟିକୁ ସ୍ତନପାନ କରାଇ ସେ ତା’ର ପ୍ରତିପୋଷଣ କରିଥାଏ । ତଦ୍ୱାରା ସେ ନିଜେ କିଛି ହରାଇ ନ ଥାଏ, ବରଂ ମାତୃତ୍ୱକୁ ଚରିତାର୍ଥ କରିଥାଏ । ସେହିପରି, ଗାଈଟିଏ ଦିନସାରା ପଡ଼ିଆରେ ଘାସ ଚରେ, କିନ୍ତୁ ପହ୍ନାରେ ତା ବାଛୁରୀ ପାଇଁ କ୍ଷୀର ଭରିଦିଏ । ତାର କର୍ତ୍ତବ୍ୟ ପାଳନ ଦ୍ୱାରା ଗାଈଟି ଛୋଟ ହୋଇ ଯାଏ ନାହିଁ, ବରଂ ଲୋକେ ତାକୁ ଅଧିକ ସମ୍ମାନ ଦେଇଥାନ୍ତି । ଏହିସବୁ କାର୍ଯ୍ୟ ଯେହେତୁ ନିଃସ୍ୱାର୍ଥପର ଭାବରେ କରାଯାଇଥାଏ, ଏଗୁଡ଼ିକୁ ପବିତ୍ର ମନେ କରାଯାଏ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ବିଜ୍ଞ ବ୍ୟକ୍ତିମାନେ ଏହିସବୁ ପବିତ୍ର ଓ କଲ୍ୟାଣକାରୀ କର୍ମ ନିଃସ୍ୱାର୍ଥପର ମନୋଭାବରେ କରିବା ଉଚିତ । ପରବର୍ତ୍ତୀ ତିନୋଟି ଶ୍ଳୋକରେ ସେ ତିନି ପ୍ରକାରର ତ୍ୟାଗ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।