Bhagavad Gita: Chapter 18, Verse 78

ଯତ୍ର ଯୋଗେଶ୍ୱରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଧରଃ ।
ତତ୍ର ଶ୍ରୀର୍ବିଜୟୋ ଭୂତିଧ୍ରୁବା ନୀତିର୍ମତିର୍ମମ ।।୭୮।।

ଯତ୍ର-ଯେଉଁଠାରେ; ଯୋଗେଶ୍ୱରଃ-ଯୋଗେଶ୍ୱର; କୃଷ୍ଣଃ-ଭଗବାନ ଶ୍ରୀକୃଷ୍ଣ; ଯତ୍ର-ଯେଉଁଠାରେ; ପାର୍ଥଃ-ପୃଥାପୁତ୍ର ଅର୍ଜୁନ; ଧନୁର୍ଧରଃ-ଧନୁଶରଧାରୀ; ତତ୍ର-ସେଠାରେ; ଶ୍ରୀଃ-ଐଶ୍ୱର୍ଯ୍ୟ; ବିଜୟଃ-ବିଜୟ; ଭୂତିଃ-ସମୃଦ୍ଧି; ଧ୍ରୁବା-ଅନନ୍ତ; ନୀତିଃ-ଧାର୍ମିକତା; ମତିଃ ମମ-ମୋର ମତ ।

Translation

BG 18.78: ଯେଉଁଠାରେ ସମସ୍ତ ଯୋଗର ଅଧୀଶ୍ୱର ଶ୍ରୀକୃଷ୍ଣ ଅଛନ୍ତି ଏବଂ ଯେଉଁଠାରେ ଧନୁର୍ଦ୍ଧର ଅର୍ଜୁନ ଅଛନ୍ତି, ସେଠାରେ ଅଫୁରନ୍ତ ଐଶ୍ୱର୍ଯ୍ୟ, ବିଜୟ, ସମୃଦ୍ଧି ଏବଂ ଧର୍ମ ନିଶ୍ଚିତରୂପେ ବିରାଜମାନ କରିବ । ମୁଁ ଏଥିରେ ଦୃଢ଼ ନିଶ୍ଚିତ ।

Commentary

ଏକ ଦୃଢ଼ ଅଧିଘୋଷଣା ସହିତ ଏହି ଶ୍ଳୋକରେ ଭଗବଦ୍‌ଗୀତାର ପରିସମାପ୍ତି ହୋଇଛି । ଧୃତରାଷ୍ଟ୍ର ଯୁଦ୍ଧର ପରିଣତିକୁ ନେଇ ଉଦ୍‌ବେଗଗ୍ରସ୍ତ ଥିଲେ । ସଞ୍ଜୟ ତାଙ୍କୁ ସୂଚନା ଦେଇଛନ୍ତି ଯେ ଦୁଇ ସୈନ୍ୟବାହିନୀର ଭୌତିକ ଦୃଷ୍ଟିରୁ ସଂଖ୍ୟା ଆକଳନର କୌଣସି ମହତ୍ୱ ନାହିଁ । ଏହି ଯୁଦ୍ଧର କେବଳ ଗୋଟିଏ ହିଁ ପରିଣତି ହୋଇପାରେ- ବିଜୟଶ୍ରୀ ସର୍ବଦା ଭଗବାନ ଏବଂ ତାଙ୍କ ଶୁଦ୍ଧ ଭକ୍ତଙ୍କ ସପକ୍ଷରେ ରହିବ ଏବଂ ତା’ ସହିତ ଧାର୍ମିକତା, ଶ୍ରେଷ୍ଠତା ଏବଂ ସମୃଦ୍ଧି ମଧ୍ୟ ତାଙ୍କ ପକ୍ଷଭୁକ୍ତ ହେବ ।

ଭଗବାନ ସ୍ୱତନ୍ତ୍ର, ଆତ୍ମନିର୍ଭର ଜଗଦୀଶ୍ୱର ଏବଂ ଭକ୍ତି ଓ ଉପାସନାର ସର୍ବଶ୍ରେଷ୍ଠ ଯୋଗ୍ୟ ବସ୍ତୁ ଅଟନ୍ତି ।

ନ ତତ୍ସମଶ୍ଚାଭ୍ୟଧିକଶ୍ଚ ଦୃଶ୍ୟତେ (ଶ୍ୱେତାଶ୍ୱତର ଉପନିଷଦ ୬.୮) “ତାଙ୍କ ସମତୁଲ୍ୟ କେହି ନାହାଁନ୍ତି କିମ୍ବା ତାଙ୍କ ଠାରୁ ଶ୍ରେଷ୍ଠ ମଧ୍ୟ କେହି ନାହାଁନ୍ତି ।” ତାଙ୍କର ଅସାମାନ୍ୟ ଯଶର ପରିପ୍ରକାଶ ପାଇଁ ସେ କେବଳ ଏକ ଉପଯୁକ୍ତ ମାଧ୍ୟମ ଆବଶ୍ୟକ କରନ୍ତି । ଯେଉଁ ଜୀବ ଭଗବାନଙ୍କର ଶରଣାଗତ ହୁଅନ୍ତି, ସେ ତାଙ୍କ ଐଶ୍ୱର୍ଯ୍ୟର ଦୀପ୍ତି ଝଲସାଇବା ପାଇଁ ଏକ ବାହନ ପ୍ରସ୍ତୁତ କରନ୍ତି । ଅତଏବ, ଯେଉଁଠାରେ ବି ଭଗବାନ ଏବଂ ତାଙ୍କର ଭକ୍ତ ଉପସ୍ଥିତ ଥିବେ, ପରମ ସତ୍ୟର ଆଲୋକ ମିଥ୍ୟାର ଅନ୍ଧକାରକୁ ସର୍ବଦା ପରାଭୂତ କରିବ । ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ ।