Bhagavad Gita: Chapter 18, Verse 28

ଅଯୁକ୍ତଃ ପ୍ରାକୃତଃ ସ୍ତବ୍‌ଧଃ ଶଠୋ ନୈଷ୍କୃତିକୋଽଳସଃ ।
ବିଷାଦୀ ଦୀର୍ଘସୂତ୍ରୀ ଚ କର୍ତା ତାମସ ଉଚ୍ୟତେ ।।୨୮।।

ଅଯୁକ୍ତଃ- ଉଚ୍ଛୃଙ୍ଖଳ; ପ୍ରାକୃତଃ- ଅସଭ୍ୟ; ସ୍ତବ୍ଧଃ- ଉଦ୍ଧତ; ଶଠଃ- ଶଠ; ନୈଷ୍କୃତିକଃ -ଅସାଧୁ ବା ନୀଚ; ଅଳସଃ-ଅଳସୁଆ; ବିଷାଦୀ- ବିଷାଦଗ୍ରସ୍ତ; ଦୀର୍ଘସୂତ୍ରୀ -ଉଦ୍ୟମରେ ଅବହେଳା; ଚ-ଏବଂ; କର୍ତା-କର୍ତ୍ତା; ତାମସଃ- ତାମସିକଃ; ଉଚ୍ୟତେ- କୁହାଯାଏ ।

Translation

BG 18.28: ସେହି କର୍ତ୍ତାଙ୍କୁ ତାମସିକ ଗୁଣଯୁକ୍ତ କୁହାଯାଏ ଯିଏ ଉଚ୍ଛୃଙ୍ଖଳ, ଅଭଦ୍ର, ଜିଦ୍‌ଖୋର, କପଟି, ଆଳସ୍ୟପୂର୍ଣ୍ଣ, ବିଷାଦଗ୍ରସ୍ତ ଏବଂ ଉଦ୍ୟମରେ ଅବହେଳାଯୁକ୍ତ ହୋଇଥାନ୍ତି ।

Commentary

ଶ୍ରୀକୃଷ୍ଣ ବର୍ତ୍ତମାନ ତାମସିକ କର୍ତ୍ତାଙ୍କର ଗୁଣ ବର୍ଣ୍ଣନା କରୁଛନ୍ତି । ସେମାନଙ୍କର ମନ ନକାରାତ୍ମକ ଆବେଶରେ ମୋହିତ ହୋଇଥାଏ, ତେଣୁ ସେମାନେ ଅଯୁକ୍ତଃ (ଉଚ୍ଛୃଙ୍ଖଳ) ହୋଇଥାଆନ୍ତି । ଶାସ୍ତ୍ରମାନେ ଉପଯୁକ୍ତ ଓ ଅନୁପଯୁକ୍ତ ଆଚରଣର ନିର୍ଦ୍ଦେଶ କରିଛନ୍ତି । କିନ୍ତୁ ତମୋଗୁଣୀ କର୍ତ୍ତା ସ୍ତବ୍ଧ (ଜିଦ୍‌ଖୋର) ହୋଇଥାନ୍ତି, କାରଣ ସେମାନେ ବିଚାରଣ ପାଇଁ ନିଜର କର୍ଣ୍ଣ ଓ ମନକୁ ରୁଦ୍ଧ କରି ଦେଇଥାନ୍ତି । ଅଧିକାଂଶତଃ ସେମାନେ  ଶଠଃ (କପଟି) ଏବଂ ନୈଷ୍କୃତିକଃ (ଅସାଧୁ) ସ୍ୱଭାବର ହୋଇଥାଆନ୍ତି । ନିଜ ପାଶବିକ ପ୍ରବୃତ୍ତିକୁ ନିୟନ୍ତ୍ରଣ କରିବା ଦିଗରେ କୌଣସି ଆଗ୍ରହ ନ ଥିବା ଯୋଗୁଁ ସେମାନଙ୍କର ସ୍ୱଭାବ ପ୍ରାକୃତଃ (ଅସଭ୍ୟ) ହୋଇଥାଏ । ତାଙ୍କର କର୍ତ୍ତବ୍ୟ କରିବାର ଥିଲେ ମଧ୍ୟ, କର୍ମକୁ ଦୁଷ୍କର ଏବଂ କଷ୍ଟଦାୟକ ମନେ କରି ସେମାନେ ଅଳସଃ  (ଆଳସ୍ୟ ପରାୟଣ) ଏବଂ ଦୀର୍ଘ-ସୂତ୍ରୀ (ଅବହେଳାକାରୀ) ହୋଇଥାନ୍ତି । ତାଙ୍କର ନିକୃଷ୍ଟ ଓ ନିମ୍ନ ଶ୍ରେଣୀର ଚିନ୍ତନ, ଅନ୍ୟମାନଙ୍କ ଅପେକ୍ଷା ସେମାନଙ୍କୁ ହିଁ ଅଧିକ ପ୍ରଭାବିତ କରି ତାଙ୍କୁ ବିଶାଦୀ (ଦୁଃଖି ଓ ମର୍ମାହତ) କରିଦିଏ ।

ଶ୍ରୀମଦ୍ ଭାଗବତମ୍‌ରେ ମଧ୍ୟ କର୍ତ୍ତାମାନଙ୍କର ବିଭିନ୍ନ ଶ୍ରେଣୀ ବିଷୟରେ ବର୍ଣ୍ଣନା କରାଯାଇଛି:

ସାତ୍ତ୍ୱିକଃ କାରକୋଽସଙ୍ଗୀ ରାଗାନ୍ଧୋ ରାଜସଃ ସ୍ମୃତଃ
ତାମସଃ ସ୍ମୃତି-ବିଭ୍ରଷ୍ଟୋ ନିର୍ଗୁଣୋ ମଦ୍‌-ଅପାଶ୍ରୟଃ (୧୧.୨୫.୨୬)

“ବିମୁକ୍ତ କର୍ତ୍ତା ସାତ୍ତ୍ୱିକ ଗୁଣଯୁକ୍ତ ଅଟନ୍ତି; ଯେଉଁ ବ୍ୟକ୍ତି କର୍ମ ଓ ତା’ର ଫଳ ପ୍ରତି ଅତ୍ୟଧିକ ଆସକ୍ତ ସେ ରାଜସିକ କର୍ତ୍ତା ଏବଂ ବିଚାରହୀନ ବ୍ୟକ୍ତି ତାମସିକ କର୍ତ୍ତା ଅଟନ୍ତି । କିନ୍ତୁ ଯେଉଁ କର୍ତ୍ତା ମୋ ପ୍ରତି ଶରଣାଗତ, ସେମାନେ ତ୍ରିଗୁଣାତୀତ ହୋଇଥାନ୍ତି ।