Bhagavad Gita: Chapter 18, Verse 47

ଶ୍ରେୟାନ୍‌ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍‌ସ୍ୱନୁଷ୍ଠିତାତ୍ ।
ସ୍ୱଭାବନିୟତଂ କର୍ମ କୁର୍ବନ୍ନାପ୍ନୋତି କିଳ୍‌ବିଷମ୍ ।।୪୭।।

ଶ୍ରେୟାନ୍ -ଉତ୍ତମ; ସ୍ୱ-ଧର୍ମ -ନିଜ ପାଇଁ ନିର୍ଦ୍ଧାରିତ କର୍ମ; ବିଗୁଣଃ- ଅପୂର୍ଣ୍ଣ ଭାବେ କୃତ; ପର-ଧର୍ମାତ୍ -ଅନ୍ୟ ପାଇଁ ଉଦ୍ଦିଷ୍ଟ କର୍ମଠାରୁ; ସ୍ୱନୁଷ୍ଠିତାତ୍‌- ପୂର୍ଣ୍ଣତଃ କୃତ; ସ୍ୱଭାବ-ନିୟତଂ- ବ୍ୟକ୍ତିର ସ୍ୱଭାବ ଅନୁଯାୟୀ ନିର୍ଦ୍ଧାରିତ; କର୍ମ -କର୍ମ; କୁର୍ବନ୍‌-ଅନୁଷ୍ଠାନ କରି; ନ-ଆପ୍ନୋତି - ଅର୍ଜନ କରେ ନାହିଁ; କିଳ୍‌ବିଷମ୍ -ପାପ ।

Translation

BG 18.47: ଅନ୍ୟର କର୍ମକୁ ସଠିକ ରୂପରେ କରିବା ଅପେକ୍ଷା ତୃଟିପୂର୍ଣ୍ଣ ଭାବରେ ହେଲେ ମଧ୍ୟ ନିଜ ପାଇଁ ଉଦ୍ଦିଷ୍ଟ କର୍ମ କରିବା ଉତ୍ତମ ଅଟେ । ନିଜର ସହଜାତ କର୍ମ କରିବା ଦ୍ୱାରା ଜଣେ ପାପ ଅର୍ଜନ କରେନାହିଁ ।

Commentary

ସ୍ୱ-ଧର୍ମ ପାଳନ କରିବା ଦ୍ୱାରା ଦ୍ୱିବିଧ ଲାଭ ହୋଇଥାଏ । ଏହା ଆମର ସ୍ୱାଭାବିକ ପ୍ରବୃତ୍ତି ଅନୁରୂପ ହୋଇଥାଏ । ସୁତରାଂ, ପକ୍ଷୀ ଉଡ଼ିବା ଓ ମତ୍ସ୍ୟ ସନ୍ତରଣ କରିବା ପରି ଏହା ଆମ ବ୍ୟକ୍ତିତ୍ୱର ସ୍ୱାଭାବିକ କ୍ରିୟା ହୋଇଥାଏ । ଦ୍ୱିତୀୟତଃ, ଯେହେତୁ ଏହା ଆମ ମନ ପାଇଁ ସୁଖଦ ଅଟେ, ଏହା ସ୍ୱତଃ ସମ୍ପାଦିତ ହୋଇଥାଏ ଏବଂ ଭକ୍ତି କରିବା ପାଇଁ ଆମର ଚେତନା ମୁକ୍ତ ରହିଥାଏ ।

ତା ପରିବର୍ତ୍ତେ, ଆମେ ଯଦି ନିଜ କର୍ତ୍ତବ୍ୟକୁ ତ୍ରୁଟିପୂର୍ଣ୍ଣ ମନେକରି ଅନ୍ୟ ଜଣଙ୍କ ପାଇଁ ଉଦ୍ଦିଷ୍ଟ କର୍ମ କରିବାକୁ ଆଗଭର ହେବା, ଆମେ ନିଜ ଅନ୍ତର୍ନିହିତ ଗୁଣର ବିପରୀତ କର୍ମ କରିବାରେ ସଂଘର୍ଷ ରତ ରହିବା । ଏହା ହିଁ ଅର୍ଜୁନଙ୍କର ପରିସ୍ଥିତି ଥିଲା । ତାଙ୍କର କ୍ଷତ୍ରୀୟ ସ୍ୱଭାବ ସାମରିକ ଏବଂ ଶାସନ ସମ୍ବନ୍ଧୀୟ କାର୍ଯ୍ୟ ପ୍ରତି ଅନୁକୂଳ ଥିଲା । ସମସ୍ତ ଘଟଣାବଳୀ ତାଙ୍କୁ ଏକ ଧର୍ମଯୁଦ୍ଧରେ ଅଂଶଗ୍ରହଣ କରିବା ଦିଗରେ ପ୍ରେରିତ କରୁଥିଲା । ସେ ଯଦି ତାଙ୍କ କର୍ତ୍ତବ୍ୟ ପ୍ରତି ବିମୁଖ ହୋଇ ଜଙ୍ଗଲରେ ତପସ୍ୟା କରିବାକୁ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିବେ, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ତାହା ତାଙ୍କୁ ସାହାଯ୍ୟ କରିବ ନାହିଁ । ଜଙ୍ଗଲରେ ମଧ୍ୟ ସେ ନିଜ ସହଜାତ ପ୍ରବୃତ୍ତିରୁ ମୁକ୍ତ ରହିବେ ନାହିଁ । ସମ୍ଭବତଃ, ସେଠାରେ ସେ ଆଦିବାସୀମାନଙ୍କୁ ଏକତ୍ରିତ କରି, ତାଙ୍କର ରାଜା ହେବେ ।  ତା’ପରିବର୍ତ୍ତେ, ସେ ଯଦି ତାଙ୍କର ସ୍ୱଭାବ ଅନୁରୂପ କର୍ମ କରିଥାଆନ୍ତେ ଏବଂ କର୍ମଫଳକୁ ଭଗବାନଙ୍କୁ ଅର୍ପଣ ପୂର୍ବକ ତାଙ୍କର ଉପାସନା କରିଥାଆନ୍ତେ, ତେବେ ତାଙ୍କ ପାଇଁ ତାହା ଶ୍ରେୟସ୍କର ହୋଇଥାଆନ୍ତା ।

ଆଧ୍ୟାତ୍ମିକ ଉପଲବ୍ଧି ପରେ ବ୍ୟକ୍ତିର ସ୍ୱ-ଧର୍ମ ବଦଳିଯାଏ । ଏହା ଶାରୀରିକ ସ୍ତରରେ ସ୍ଥିତ ନ ରହି ଆତ୍ମାର ଧର୍ମ ହୋଇଯାଏ, ଯାହା ଭଗବାନଙ୍କର ଭକ୍ତି ଅଟେ । ଏହି କକ୍ଷରେ ନିଜର କର୍ତ୍ତବ୍ୟ ପରିତ୍ୟାଗ କରି ସର୍ବତୋ ଭାବରେ ଭକ୍ତିରେ ନିୟୋଜିତ ହେବା ଯୁକ୍ତିଯୁକ୍ତ ଅଟେ, କାରଣ ବର୍ତ୍ତମାନ ଏହା ତାଙ୍କ ସ୍ୱଭାବର ସ୍ୱ-ଧର୍ମ ପାଲଟିଯାଏ । ଏହି ଅଧିକାରୀତ୍ୱ ହାସଲ କରିଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଭଗବଦ୍‌ଗୀତାର ଶେଷରେ ଶ୍ରୀକୃଷ୍ଣ ତାଙ୍କର ଅନ୍ତିମ ନିର୍ଣ୍ଣୟ ପ୍ରକାଶ କରିବେ: “ସମସ୍ତ ଧର୍ମ ପରିତ୍ୟାଗ କରି କେବଳ ମୋର ଶରଣାଗତ ହୁଅ ।” (୧୮.୬୬) କିନ୍ତୁ ସେହି ସ୍ତରରେ ଉପନୀତ ହେବା ପର୍ଯ୍ୟନ୍ତ ଏହି ଶ୍ଳୋକରେ ଦିଆଯାଇଥିବା ନିର୍ଦ୍ଦେଶ ପ୍ରଯୁଜ୍ୟ ଅଟେ । ଶ୍ରୀମଦ୍ ଭାଗବତମ୍ କହେ:

ତାବତ୍ କର୍ମାଣି କୁର୍ବୀତ ନ ନିର୍ବିଦ୍ୟେତ ଯାବତା
ମତ୍‌-କଥା-ଶ୍ରବଣାଦୌ ବା ଶ୍ରଦ୍ଧା ଯାବନ୍ ନ ଜାୟତେ (୧୧.୨୦.୯)

“ଭଗବାନଙ୍କର ଲୀଳା ଶ୍ରବଣ, କୀର୍ତ୍ତନ ଓ ସ୍ମରଣ ପୂର୍ବକ ଭକ୍ତି ପ୍ରତି ଆଗ୍ରହ ସୃଷ୍ଟି ନ ହେବା ପର୍ଯ୍ୟନ୍ତ, ଆମେ ନିଜର ବିହିତ ବୃତ୍ତିଗତ କର୍ମ ଅବ୍ୟାହତ ରଖିବା ଉଚିତ୍ ।”