Bhagavad Gita: Chapter 18, Verse 68

ଯ ଇମଂ ପରମଂ ଗୁହ୍ୟଂ ମଦ୍ଭକ୍ତେଷ୍ୱଭିଧାସ୍ୟତି ।
ଭକ୍ତିଂ ମୟି ପରାଂ କୃତ୍ୱା ମାମେବୈଷ୍ୟତ୍ୟସଂଶୟଃ ।।୬୮।।

ଯଃ-ଯିଏ; ଇଦଂ-ଏହି; ପରମଂ-ଶ୍ରେଷ୍ଠ; ଗୁହ୍ୟଂ-ଗୁପ୍ତ ଜ୍ଞାନ; ମତ୍‌-ଭକ୍ତେଷୁ -ମୋର ଭକ୍ତମାନଙ୍କ ମଧ୍ୟରେ; ଅଭିଧାସ୍ୟତି-ବ୍ୟାଖ୍ୟା କରେ; ଭକ୍ତିଂ-ଭକ୍ତି; ମୟି-ମୋ’ଠାରେ; ପରାଂ-ପରମ; କୃତ୍ୱା- କରି; ମାଂ-ମୋ ପାଖକୁ; ଏବ-ନିଶ୍ଚତଭାବେ; ଏଷ୍ୟତି-ଆସେ; ଅସଂଶୟଃ -ନିଃସନ୍ଦେହ ଭାବରେ ।

Translation

BG 18.68: ଯେଉଁମାନେ ଏହି ଗୁଢ଼ତମ ଜ୍ଞାନ ମୋର ଭକ୍ତମାନଙ୍କୁ ପ୍ରଦାନ କରିଥାନ୍ତି, ସେମାନେ ମୋର ସର୍ବୋଚ୍ଚ ଭକ୍ତି କରନ୍ତି । ନିଃସନ୍ଦେହ ଭାବରେ ସେମାନେ ମୋ ପାଖକୁ ଆସିବେ ।

Commentary

ବର୍ତ୍ତମାନ ଶ୍ରୀକୃଷ୍ଣ ଭଗବଦ୍ ଗୀତାର ସନ୍ଦେଶକୁ ଉତ୍ତମ ରୂପେ ପ୍ରଚାର କରିବାର ଫଳାଫଳ ବର୍ଣ୍ଣନା କରୁଛନ୍ତି । ସେ କହୁଛନ୍ତି, ଏପରି ପ୍ରଚାରକମାନେ ପ୍ରଥମେ ମୋର ପରାଭକ୍ତି ଲାଭ କରନ୍ତି, ତା’ପରେ ମୋତେ ପ୍ରାପ୍ତ କରନ୍ତି ।

ନିଜେ ଭକ୍ତି କରିବାର ସୁଯୋଗ ପାଇବା ଭଗବାନଙ୍କର ଏକ ବିଶେଷ କୃପା, କିନ୍ତୁ ଅନ୍ୟମାନଙ୍କୁ ଭକ୍ତି କରିବାରେ ସାହାଯ୍ୟ କରିବାର ସୁଯୋଗ ତା’ଠାରୁ ଅଧିକ କୃପା ଅଟେ, ଯାହା ଭଗବାନଙ୍କର ବିଶେଷ କୃପାକୁ ଆକୃଷ୍ଟ କରିଥାଏ । ଯେତେବେଳେ ଆମେ କୌଣସି ମହତ୍ ବିଷୟରେ ଅନ୍ୟମାନଙ୍କୁ ଅଂଶୀଦାର କରିଥାଉ, ତଦ୍ୱାରା ଆମେ ନିଜେ ମଧ୍ୟ ଲାଭାନ୍ୱିତ ହୋଇଥାଉ । ଆମର ଯାହାବି ଜ୍ଞାନ ଅଛି ତାକୁ ଅନ୍ୟମାନଙ୍କୁ ପ୍ରଦାନ କଲେ କୃପାବଶତଃ ଆମ ନିଜର ଜ୍ଞାନ ମଧ୍ୟ ବୃଦ୍ଧି ପାଏ । ଅନ୍ୟମାନଙ୍କୁ ଖାଦ୍ୟ ପ୍ରଦାନ କରି ଆମେ କେବେ ବି ଭୋକିଲା ରହେନାହିଁ । ସନ୍ଥ କବୀର କହନ୍ତି:

ଦାନ ଦିୟେ ଧନ ନା ଘଟେ, ନଦୀ ଘଟେ ନ ନୀର,
ଅପନେ ହାଥ ଦେଖ ଲୋ, ଯୋଁ କ୍ୟା କହେ କବୀର

“ଦାନ କରିବା ଦ୍ୱାରା ଧନ ହ୍ରାସ ହୁଏନାହିଁ; ଲୋକମାନେ ନଦୀରୁ ପାଣି ବୋହି ନେଲେ ତାହା ଶୁଷ୍କ ହୋଇଯାଏ ନାହିଁ । ମୁଁ ନିରର୍ଥକ ଏହା କହୁନାହିଁ, ସଂସାରରେ ତୁମେ ନିଜେ ଦେଖିନିଅ ।”ତେଣୁ ଯେଉଁମାନେ ଗୀତାର ଦିବ୍ୟଜ୍ଞାନ ଅନ୍ୟମାନଙ୍କ ମଧ୍ୟରେ ବିତରଣ କରନ୍ତି, ସେମାନେ ନିଜେ ସର୍ବୋଚ୍ଚ କୃପା ପ୍ରାପ୍ତ କରନ୍ତି ।