Bhagavad Gita: Chapter 18, Verse 60

ସ୍ୱଭାବଜେନ କୌନ୍ତେୟ ନିବଦ୍ଧଃ ସ୍ୱେନ କର୍ମଣା ।
କର୍ତୁଂ ନେଚ୍ଛସି ଯନ୍‌ମୋହାତ୍‌କରିଷ୍ୟସ୍ୟବଶୋଽପି ତତ୍ ।।୬୦।।

ସ୍ୱଭାବଜେନ-ବ୍ୟକ୍ତିର ସ୍ୱଭାବ ଅନୁଯାୟୀ; କୌନ୍ତେୟ-ହେ କୁନ୍ତୀପୁତ୍ର; ନିବଦ୍ଧଃ-ବଦ୍ଧ; ସ୍ୱେନ-ନିଜର; କର୍ମଣା-କର୍ମ; କର୍ତୁଂ-କରିବାକୁ; ନ ଇଚ୍ଛସି-ଇଚ୍ଛାକରେ ନାହିଁ; ଯତ୍‌-ଯାହା; ମୋହାତ୍ -ମୋହବଶତଃ; କରିଷ୍ୟସି -ତୁମେ କରିବ; ଅବଶଃ-ବିବଶ ଭାବରେ; ଅପି-ଯଦିଓ; ତତ୍‌-ତାହା ।

Translation

BG 18.60: ହେ ଅର୍ଜୁନ ! ଭ୍ରମବଶତଃ ତୁମେ ଯେଉଁ କର୍ମ କରିବାକୁ ଇଚ୍ଛା କରୁନାହଁ, ଭୌତିକ ଗୁଣରୁ ଜାତ ତୁମର ନିଜସ୍ୱ ପ୍ରବୃତ୍ତି ତାହା କରିବା ପାଇଁ ତୁମକୁ ପ୍ରେରିତ କରିବ ।

Commentary

ଶ୍ରୀକୃଷ୍ଣ ତାଙ୍କର ଚେତାବନୀ ସୂଚକ ବାଣୀକୁ ଅବ୍ୟାହତ ରଖି ପୂର୍ବବର୍ତ୍ତୀ ତଥ୍ୟର ବିସ୍ତୃତ ଆଲୋଚନା କରିଛନ୍ତି । ସେ କହୁଛନ୍ତି, “ପୂର୍ବ ଜନ୍ମର ସଂସ୍କାର ଅନୁଯାୟୀ ତୁମେ ଏବେ କ୍ଷତ୍ରୀୟ ସ୍ୱଭାବଯୁକ୍ତ ଅଟ । ବୀରତ୍ୱ, ନୈତିକ କର୍ତ୍ତବ୍ୟ ଏବଂ ଦେଶପ୍ରେମ ଆଦି ତୁମର ସହଜାତ ଗୁଣ ତୁମକୁ ଯୁଦ୍ଧ କରିବାକୁ ପ୍ରବୃତ୍ତ କରିବ । ପୂର୍ବ ଜନ୍ମମାନଙ୍କରେ ତଥା ଏହି ଜନ୍ମରେ, ଯୋଦ୍ଧା ରୂପରେ ତୁମର କର୍ତ୍ତବ୍ୟକୁ ସମ୍ମାନ ଦେବାପାଇଁ ତୁମେ ପ୍ରଶିକ୍ଷିତ ହୋଇଛ । ତୁମ ସମ୍ମୁଖରେ ଅନ୍ୟମାନଙ୍କ ପ୍ରତି ଅନ୍ୟାୟ ଆଚରଣ କରାଯାଉ ଥିବା ଦେଖି ତୁମେ ନିଷ୍କ୍ରିୟ ହୋଇ ରହିପାରିବ କି ? ଅନ୍ୟାୟର ପ୍ରତିବାଦ କରିବା ତୁମର ଗୁଣ ତଥା ପ୍ରବୃତ୍ତି ଅଟେ । ତେଣୁ ନିଜ ପ୍ରବୃତ୍ତି ଦ୍ୱାରା ବାଧ୍ୟ ହୋଇ ଯୁଦ୍ଧ କରିବା ଅପେକ୍ଷା ମୋର ଉପଦେଶ ମାନି ଯୁଦ୍ଧ କରିବା ତୁମ ପାଇଁ ହିତକର ଅଟେ ।