Bhagavad Gita: Chapter 18, Verse 45

ସ୍ୱେ ସ୍ୱେ କର୍ମଣ୍ୟଭିରତଃ ସଂସିଦ୍ଧିଂ ଲଭତେ ନରଃ ।
ସ୍ୱକର୍ମନିରତଃ ସିଦ୍ଧିଂ ଯଥା ବିନ୍ଦତି ତଚ୍ଛୃଣୁ ।।୪୫।।

ସ୍ୱେ-ନିଜ; ସ୍ୱେ-ନିଜର; କର୍ମଣି- କର୍ମରେ; ଅଭିରତଃ-ପାଳନ କରି; ସଂସିଦ୍ଧିଂ-ସିଦ୍ଧି; ଲଭତେ-ଲାଭକରେ; ନରଃ-ମାନବ; ସ୍ୱକର୍ମ-ନିଜ ପାଇଁ ଉଦ୍ଦିଷ୍ଟ କର୍ମରେ; ନିରତଃ-ନିଯୁକ୍ତ; ସିଦ୍ଧିଂ-ସିଦ୍ଧି; ଯଥା-ଯେପରି; ବିନ୍ଦତି-ପ୍ରାପ୍ତ ହୁଏ; ତତ୍‌-ତାହା; ଶୃଣୁ- ଶୁଣ ।

Translation

BG 18.45: ନିଜ ସହଜାତ ଗୁଣରୁ ଉତ୍ପନ୍ନ କର୍ତ୍ତବ୍ୟ ପାଳନ କରି ମନୁଷ୍ୟ ସିଦ୍ଧି ଲାଭ କରିଥାଏ । ନିଜ ନିଜର ବିହିତ କର୍ମ କରି ଜଣେ କିପରି ସିଦ୍ଧି ଲାଭ କରିଥାଏ, ଏବେ ତାହା ମୋ ଠାରୁ ଶୁଣ ।

Commentary

ଆମ୍ଭମାନଙ୍କର ସ୍ୱଭାବ ଏବଂ ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ । ସେଗୁଡ଼ିକୁ ସମ୍ପାଦନ କରିବା ଦ୍ୱାରା ଆମେ ନିଜ ଶରୀର ଓ ମନର ଅନ୍ତର୍ନିହିତ କ୍ଷମତାର ଉପଯୋଗ ଗଠନମୂଳକ ଓ ଲାଭଦାୟକ ଭାବରେ କରିଥାଏ । ଏହା ନିଜର ଶୁଦ୍ଧିକରଣ ଓ ବିକାଶ କରାଇଥାଏ ଏବଂ ନିଜ ପାଇଁ ତଥା ସମାଜ ପାଇଁ ମଙ୍ଗଳକାରୀ ହୋଇଥାଏ । ଏହି ସବୁ କର୍ମର ନିର୍ଦ୍ଧାରଣ ଆମ ସହଜାତ ସ୍ୱଭାବ ଅନୁସାରେ ହୋଇଥିବାରୁ, ଏହାର ନିର୍ବାହ କରିବାକୁ ଯାଇ ଆମେ ଆରାମ ଏବଂ ଅବିଚଳିତ ଅନୁଭବ କରିଥାଏ । ତାପରେ, ଆମର ଦକ୍ଷତା ବୃଦ୍ଧି ସହିତ, ଆମର ସ୍ୱ-ଧର୍ମ  ମଧ୍ୟ ବଦଳି ଯାଏ ଏବଂ ଆମେ ପରବର୍ତ୍ତୀ ଉଚ୍ଚ ସୋପାନରେ ପଦାର୍ପଣ କରିଥାଏ । ଏହିପରି ଭାବରେ କର୍ତ୍ତବ୍ୟନିଷ୍ଠାର ସହିତ ଦାୟୀତ୍ୱ ନିର୍ବାହ କରି ଆମେ ଅଗ୍ରଗତି କରିଥାଏ ।