ଶ୍ରୀଭଗବାନୁବାଚ
କାମ୍ୟାନାଂ କର୍ମଣାଂ ନ୍ୟାସଂ ସଂନ୍ନ୍ୟାସଂ କବୟୋ ବିଦୁଃ ।
ସର୍ବକର୍ମଫଳତ୍ୟାଗଂ ପ୍ରାହୁସ୍ତ୍ୟାଗଂ ବିଚକ୍ଷଣାଃ ।।୨।।
ଶ୍ରୀଭଗବାନୁବାଚ- ଶ୍ରୀ ଭଗବାନ କହିଲେ; କାମ୍ୟାନାଂ-କାମନା ସହ; କର୍ମଣାଂ- କର୍ମମାନଙ୍କର; ନ୍ୟାସଂ-ତ୍ୟାଗ; ସଂନ୍ନ୍ୟାସଂ- କର୍ମତ୍ୟାଗ; କବୟଃ-ପଣ୍ଡିତମାନେ; ବିଦୁଃ- ଜାଣନ୍ତି; ସର୍ବ- ସମସ୍ତ; କର୍ମ-ଫଳ -କର୍ମର ଫଳ; ତ୍ୟାଗଂ-ତ୍ୟାଗ; ପ୍ରାହୁଃ- କୁହାଯାଏ; ତ୍ୟାଗଂ- କର୍ମଫଳ ଭୋଗ କାମନାର ତ୍ୟାଗ; ବିଚକ୍ଷଣାଃ -ଜ୍ଞାନୀମାନେ ।
Translation
BG 18.2: ଶ୍ରୀଭଗବାନ କହିଲେ: କାମନା ଦ୍ୱାରା ପ୍ରେରିତ କର୍ମ ତ୍ୟାଗ କରିବାକୁ ବିଜ୍ଞ ପୁରୁଷମାନେ ସନ୍ୟାସ ଭାବରେ ବିବେଚନା କରନ୍ତି । ସମସ୍ତ କର୍ମର ଫଳକୁ ପରିତ୍ୟାଗ କରିବାକୁ ଜ୍ଞାନୀ ବ୍ୟକ୍ତିମାନେ ତ୍ୟାଗ ଭାବରେ ଅଭିହିତ କରନ୍ତି ।
Commentary
କବୟଃ ର ତାତ୍ପର୍ଯ୍ୟ ବିଜ୍ଞ ବ୍ୟକ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ବିଜ୍ଞ ବ୍ୟକ୍ତିମାନେ କର୍ମ ତ୍ୟାଗକୁ ସନ୍ୟାସ କହନ୍ତି । ଯେଉଁମାନେ ଭୌତିକ ସୁଖପ୍ରାପ୍ତି ନିମନ୍ତେ ଉଦ୍ଦିଷ୍ଟ କର୍ମସବୁକୁ ତ୍ୟାଗ କରି ସନ୍ୟାସ ଗ୍ରହଣ କରନ୍ତି, ସେମାନଙ୍କୁ କର୍ମ ସନ୍ୟାସୀ କୁହାଯାଏ । ସେମାନେ କିଛି ନିତ୍ୟକର୍ମ କରିଥାନ୍ତି (ଶରୀର ପୋଷଣ ନିମନ୍ତେ ଦୈନନ୍ଦିନ କର୍ମ), କିନ୍ତୁ ସେମାନେ କାମ୍ୟ କର୍ମ (ଧନ ସଂଗ୍ରହ, ସନ୍ତାନ ଉତ୍ପାଦନ, ସମ୍ମାନ, ପ୍ରତିପତ୍ତି ଇତ୍ୟାଦି ପ୍ରତି ଉଦ୍ଦିଷ୍ଟ କର୍ମ) ତ୍ୟାଗ କରିଥାନ୍ତି । ଏହିସବୁ କାମ୍ୟ କର୍ମ ଜୀବକୁ କର୍ମଚକ୍ରରେ ବନ୍ଧନଯୁକ୍ତ କରେ ଏବଂ ଜନ୍ମ ଓ ମୃତ୍ୟୁର ସଂସାରରେ ବାରମ୍ବାର ପୁନର୍ଜନ୍ମ କରାଇଥାଏ ।
ବିଚକ୍ଷଣଃ ହେଉଛନ୍ତି ଜ୍ଞାନୀ ବ୍ୟକ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଜ୍ଞାନୀ ବ୍ୟକ୍ତିମାନେ ତ୍ୟାଗ ଅର୍ଥାତ୍ “ଆନ୍ତରିକ ତ୍ୟାଗ” ଉପରେ ଗୁରୁତ୍ୱ ଦେଇଥାନ୍ତି । ଏହାର ଅର୍ଥ, ବେଦ ବିହିତ କର୍ତ୍ତବ୍ୟ କର୍ମ ତ୍ୟାଗ ନ କରି, କେବଳ ସେଗୁଡ଼ିକର ଫଳ ଉପଭୋଗ କରିବାର କାମନା ତ୍ୟାଗ କରିବା ଅଟେ । ତେଣୁ କର୍ମଫଳ ଉପଭୋଗର କାମନା ପରିତ୍ୟାଗ କରିବା ହିଁ ତ୍ୟାଗ ଅଟେ ଏବଂ କର୍ମ ତ୍ୟାଗ କରିବାର ମନୋଭାବ ସନ୍ୟାସ ଅଟେ । ଜ୍ଞାନପ୍ରାପ୍ତି ନିମନ୍ତେ ଉଭୟ ସନ୍ୟାସ ଓ ତ୍ୟାଗ ଯୁକ୍ତିଯୁକ୍ତ ଏବଂ ଯଥାର୍ଥ ମନେହୁଏ । ଏହି ଦୁଇଟି ମଧ୍ୟରୁ ଶ୍ରୀକୃଷ୍ଣ କେଉଁଟିକୁ ଅନୁମୋଦନ କରୁଛନ୍ତି ? ପରବର୍ତ୍ତୀ ଶ୍ଳୋକ ଗୁଡ଼ିକରେ ସେ ଏହି ବିଷୟରେ ଅଧିକ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଛନ୍ତି ।